କନକ ବ୍ୟୁରୋ : ରାଜଧାନୀବାସିଙ୍କ ଜୀବନଶୈଳୀରେ ଆସିବ ବିରାଟ ପରିବର୍ତ୍ତନ । ଲୋକଙ୍କ ସୁବିଧା ପାଇଁ ଓ ସାଇକେଲ ଚଢ଼ା ଅଭ୍ୟାସକୁ ପ୍ରୋତ୍ସାହନ ଦେବାପାଇଁ ବାଇସାଇକେଲ ସେୟାରିଂ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି । ସବୁଠାରୁ ବଡ଼ କଥା ଭଡ଼ା ଦେଇ ଆଣିହେବ ସାଇକେଲ । ଖୁବ ଶୀଘ୍ର ଏହି ସାଇକେଲ୍ ଗଡ଼ିବା ଆରମ୍ଭ ହେବ ।
ଭୁବନେଶ୍ୱର ବାସିନ୍ଦାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଏବଂ ପ୍ରଦୂଷଣ ମୁକ୍ତ ସହର କରିବା ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସ୍ସିଏଲ୍) ପକ୍ଷରୁ ରାଜଧାନୀରେ ପବ୍ଲିକ ବାଇସାଇକେଲ୍ ସେୟାରିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୨୦୦୦ ସାଇକେଲ୍ ଚଳାଇବାକୁ ଯୋଜନା ହୋଇଥିବାବେଳେ ଏହି ସାଇକେଲ୍ ଏବେ ରାଜଧାନୀରେ ପହଞ୍ଚିଛି । ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ପବ୍ଲିକ ବାଇସାଇକଲେ୍ ସେୟାରିଂ ବ୍ୟବସ୍ଥାରେ ଲୋକଙ୍କୁ ସହଜରେ, କମ୍ ଖର୍ଚ୍ଚରେ ସାଇକେଲ୍ ଚଳାଇବାର ସୁଯୋଗ ମିଳିବ ।
ଜିପିଏସ୍ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ସାଇକେଲ୍ର ବିଶେଷତ୍ୱ ହେଲା ମୋବାଇଲ୍ ଆପ୍ ଦ୍ୱାରା ସାଇକେଲ୍ କେଉଁଠି ଅଛି ତାହା ଜାଣିହେବ । ଏହାସହ ଅନଲାଇନରେ ମଧ୍ୟ ବୁକିଂ ହେବ । ଏହି ଯୋଜନାର ବିଶେଷତ୍ୱ ହେଲା ଜଳଗହଳିପୂର୍ଣ୍ଣ ଅଞ୍ଚଳରୁ ଆରମ୍ଭ କରି ଆବାସିକ ଅଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହାର ରହଣି ବ୍ୟବସ୍ଥା ହେବ । ଫଳରେ ଲୋକମାନେ ଘରୁ ବାହାରିଲେ ସୁବିଧାରେ ସାଇକେଲ୍ ବ୍ୟବହାର କରିପାରିବେ ଏବଂ ଏହାକୁ ଫେରାଇ ପାରିବେ । ଏହାସହ ପ୍ରତି ୧୦ମିନିଟ୍ରେ ଚାଲିବାକୁ ଥିବା ସିଟି ବସ୍ରେ ଯେଉଁମାନେ ଯାତ୍ରା କରିବେ ସେମାନଙ୍କ ପାଇଁ ବସ୍ କ୍ୟୁ ସେଲ୍ଟର ହିଁ ସାଇକେଲ୍ ଭଡ଼ାରେ ମିଳିବ ।
ରାଜଧାନୀରେ ଲୋକଙ୍କୁ ଭଡ଼ାରେ ସାଇକେଲ୍ ଯୋଗାଇବା ପାଇଁ ତିନିଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ହେକ୍ସି ବାଇକ୍ ୧୦୦୦ଟି ହିରୋ ସାଇକେଲ୍ ଯୋଗାଇବାକୁ ଥିବାବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ଟି ଲେଖାଏଁ ସାଇକେଲ୍ ଦେବେ । ଏହି ସାଇକେଲ୍ଗୁଡ଼ିକୁ ଯେପରି କମ୍ ବୟସର ପିଲା, ସ୍କୁଲ ଛାତ୍ରଛାତ୍ରୀ ଏବଂ ଶାଢ଼ି ପିନ୍ଧିଥିବା ମହିଳାମାନେ ଚଲାଇପାରିବେ ସେହିଭଳି ଏହାକୁ ନିର୍ମାଣ କରାଯାଇଛି । ଆବଶ୍ୟକସ୍ଥଳେ ସିଟ୍କୁ ତଳ ଉପର କରି ହେବ । ବାହାରକୁ ସାଇକେଲ୍ ନଯିବା ପାଇଁ ଏଥିରେ ସ୍ମାର୍ଟ ଲକିଂ ବ୍ୟବସ୍ଥା କରାଯାଇଛି । ଏହାସହ ଲୋକମାନେ ମୋବାଇଲ୍ ଆପ୍ ବ୍ୟବହାର କରି ସାଇକେଲ୍ ଲକ୍ ଖୋଲିପାରିବେ ।
ପବ୍ଲିକ ବାଇସାଇକେଲ୍ ସେୟାରି˚ ବ୍ୟବସ୍ଥା ପ୍ରଥମ ପର୍ଯ୍ୟାୟରେ ୩ଟି ରୁଟ୍ରେ ଲାଗୁ ହେବ । ପ୍ରଥମ ରୁଟ୍ଟି ହେଲା ଗଭର୍ଣ୍ଣର ହାଉସ୍ ଛକରୁ କଳିଙ୍ଗ ଷ୍ଟାଡିୟମ-ଜୟଦେବ ବିହାର-କଳିଙ୍ଗ ହସ୍ପିଟାଲ ଛକ- ପଟିଆ- କିଟ୍ ଛକ । ଦ୍ୱିତୀୟ ରୁଟ୍ଟି ହେଲା ବିମାନବନ୍ଦରରୁ ସଚିବାଳୟ ମାର୍ଗ-ଜୟଦେବ ବିହାର- କଳିଙ୍ଗ ହସ୍ପିଟାଲ ଛକ । ତୃତୀୟ ରୁଟ୍ଟି ହେଲା ୟୁନିଟ ୧ରୁ ରେଳ ଷ୍ଟେସନ୍-ବାଣୀବିହାର ପର୍ଯ୍ୟନ୍ତ ଜନପଥ ରାସ୍ତା । ଏହାଛଡ଼ା ଏହି ମୁଖ୍ୟ ରାସ୍ତାଗୁଡ଼ିକୁ ସ˚ଯୋଗ କରୁଥିବା ରାସ୍ତାଗୁଡ଼ିକରେ ଏହି ସୁବିଧା ଉପଲବ୍ଧ ହେବ । ବର୍ତ୍ତମାନ ୪୦କିମି ରାସ୍ତାରେ ବାଇସାଇକେଲ୍ ଗଡ଼ିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ୧୨୦କିମି ରାସ୍ତାରେ ଏହା ଲାଗୁ ହେବ । ଏଥିପାଇଁ ସ୍ୱତନ୍ତ୍ର ଟ୍ରାକ୍ ନିର୍ମାଣ ହେଉଛି ।
ଲୋକମାନେ ସାଇକେଲ୍ ଷ୍ଟେସନ୍ଗୁଡ଼ିକରୁ ସାଇକେଲ ନେଇ ଗନ୍ତବ୍ୟସ୍ଥଳକୁ ଯାଇପାରିବେ । ସାଇକେଲ ଷ୍ଟେସନ୍ ମଧ୍ୟରେ ହାରାହାରି ବ୍ୟବଧାନ ପ୍ରାୟ ୨କିଲୋମିଟର ରଖିବାକୁ ସ୍ଥିର ହୋଇଥିବା ବେଳେ ସ୍ଥଳ ବିଶେଷରେ ୫୦୦ ମିଟର ଦୂରତାରେ ଏହି ଷ୍ଟେସନ୍ ନିର୍ମାଣ ହେବ । ଏହାସହ ଏବେ ୧୦୦ଟି ବସ୍ କ୍ୟୁ ସେଲ୍ଟର୍ରେ ସାଇକେଲ୍ ରଖି ହେବ । ପୁରୁଣା ଭୁବନେଶ୍ୱରରୁ ଆରମ୍ଭ କରି ଇନଫୋସିଟି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଡକିଂ ଷ୍ଟେସନ୍ ରହିବ ।
ସାଇକେଲ୍ ଚଳାଇବା ପାଇଁ ନାମ ପଞ୍ଜୀକରଣ କରି ସଦସ୍ୟ ହେଲେ ମାଗଣାରେ ଅଧ ଘଣ୍ଟା ସାଇକେଲ୍ ଚଳାଇବାର ସୁଯୋଗ ମିଳିବ । ଏହାପରେ ଯେତେ ସମୟ ସାଇକେଲ୍ ଚଲାଇବେ ସେହି ଅନୁଯାୟୀ ଫି’ ଦେବାକୁ ପଡ଼ିବ । ସେହିପରି ଯେଉଁମାନେ ମେମ୍ବରସିପ୍ ନେଇ ନଥିବେ ସେମାନଙ୍କୁ ସାଇକେଲ୍ ଚଳାଇବା ପାଇଁ ଫି’ ଦେବାକୁ ପଡ଼ିବ । ଓଡ଼ିଶୀ କାର୍ଡ, ଅନଲାଇନ୍ରେ ଏବଂ ଡେବିଟ୍ ଓ କ୍ରେଡିଟ୍ କାର୍ଡ ବ୍ୟବହାର କରି ମଧ୍ୟ ସାଇକେଲ୍ ଭଡ଼ାରେ ନେଇ ହେବ ।