ଦିନକରେ ସର୍ବାଧିକ ୨୦ଜଣ କରୋନା ପଜିଟିଭ୍ ଚିହ୍ନଟ : ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି,ଗଞ୍ଜାମରୁ ୧୭ ଓ ମୟୁରଭଞ୍ଜରୁ ୩ ପଜିଟିଭ ଚିହ୍ନଟ

946

କନକ ବ୍ୟୁରୋ : ରାଜ୍ୟରେ ପୁଣି ୨୦ କରୋନା ପଜିଟିଭ୍ ଚିହ୍ନଟ । ଯାହାକି ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ସଂଖ୍ୟା । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି । ଗଞ୍ଜାମରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଳ୍ଲାର ମୋଟ ଆକ୍ରାନ୍ତ ସଂଖ୍ୟା ୨୧ରେ ପହଁଚିଛି । ଏଥିସହ ମୟୂରଭଞ୍ଜ ଜିଲ୍ଲାକୁ ଡେଇଁଛି କରୋନା । ପ୍ରଥମ ଥର ପାଇଁ ମୟୂରଭଞ୍ଜରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତେ ସୁରତ ଫେରନ୍ତା ହୋଇଥିବା ମୟୂରଭଞ୍ଜ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ଟପି ଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୦୫ରେ ପହଁଚିଛି । ଓଡିଶାରେ ମାତ୍ର ୧୧ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଦୁଇ ଶହ ଅତିକ୍ରମ କରିଛି । ତେବେ ନୂଆ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ନେଇ ସରକାର ସୂଚନା ଦେଇ ନାହାଁନ୍ତି । ଆଜି ମୟୂରଭଞ୍ଜ ଜିଲ୍ଲା କରୋନା ସଂକ୍ରମିତ ତାଲିକାରେ ସ୍ଥାନ ପାଇଛି।  ମୟୂରଭଞ୍ଜ ଜିଲ୍ଲାରୁ ଆଗରୁ କେହି କ‌ରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ। ମୟୂରଭଞ୍ଜକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟର ୧୮ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଅନ୍ୟପଟେ ରାଜ୍ୟରେ କରୋନା ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାର ଟପି ଯାଇଛି । ଏପର୍ଯ୍ୟନ୍ତ ମୋଟରେ ୫୦ ହଜାର ୫୧୪ ନମୁନା ପରୀକ୍ଷା କରାଯାଇଛି । ଗତକାଲି ୩ ହଜାର ୬୦ ପରୀକ୍ଷା ହୋଇଛି ।