ମୋଦି ମନ୍ତ୍ରିମଣ୍ଡଳରୁ ବାଦ ପଡିଲେ ୨୦ ଜଣ ବରିଷ୍ଠ ନେତା : ଜେପି ନଡ୍ଡା, ଜୁଏଲ୍, ରାଧାମୋହନ, ସୁରେଶ ପ୍ରଭୁଙ୍କୁ ମିଳିଲାନି ପଦ

432

କନକ ବ୍ୟୁରୋ : କେନ୍ଦ୍ରରେ ଆରମ୍ଭ ହେଲା ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ । ପ୍ରଚଣ୍ଡ ଜନମତ ପାଇ ନିର୍ବାଚନରେ ବିଜୟ ଲାଭ କରିଥିବା ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ, ମୋଟ ୫୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି ।

ତେବେ ମୋଦଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ୨୦ ଜଣ ପ୍ରମୁଖ ନେତାଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିନାହିଁ । ସେମାନଙ୍କ ମଧ୍ୟରେ ଅଛନ୍ତି ସୁଷମା ସ୍ବରାଜ , ଉମା ଭାରତୀ (ଉଭୟ ଲୋକସଭା ନିର୍ବାଚନ ଲଢ଼ି ନଥିଲେ), ଅରୁଣ ଜେଟ୍ଲି (ସ୍ବାସ୍ଥ୍ୟଗତ କାରଣରୁ ମନ୍ତ୍ରୀ ହେବାକୁ ମନା କରିଥିଲେ) । ଏତଦବ୍ୟତୀତ ଜଗତ ପ୍ରକାଶ ନଡ୍ଡା (ବିଜେପି ସଭାପତି ହେବା ସମ୍ଭାବନା କାରଣରୁ) ମଧ୍ୟ ମନ୍ତ୍ରିମଣ୍ଡଳରେ ନାହାନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ନୂଆ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ସୁରେଶ ପ୍ରଭୁ, ମେନକା ଗାନ୍ଧୀ, ଅଶୋକ ଗଜପତି ରାଜୁ ପଶୁପତି, ଅନନ୍ତ ଗୀତେ, ଚୌଧୁରୀ ବିରେନ୍ଦ୍ର ସିଂହ, ରାଧାମୋହନ ସିଂହ, ଡ. ମହେଶ ଶର୍ମା, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଆଲଫୋନ୍ସ କନ୍ନଥନମ, ବିଜୟ ଗୋୟଲ, ଏସ୍ ଏସ୍ ଆଲୁୱାଲିଆ, ରାମକୃପାଳ ଯାଦବ, ହଂସରାଜ ଗଂଗାରାମ ଅହିର, ଅନନ୍ତ କୁମାର ହେଗଡେ, ଜୟନ୍ତ ସିହ୍ନା ଏବଂ ଅନୁପ୍ରିୟା ପଟେଲ।