ରାଜଧାନୀର କାୟା ମେଲାଉଛି ନିଶା କାରବାର : ଗଳି ଗଳିରେ ଚାଲିଛି ବ୍ରାଉନସୁଗାର ବେପାର , ଧଳା ଜହର ପାଇଁ ୨ ବର୍ଷରେ ୨ ହତ୍ୟାକାଣ୍ଡ

166

କନକ ବ୍ୟୁରୋ : ବ୍ରାଉନସୁଗାର କାରବାରକୁ ନେଇ ଖଣ୍ଡଗିରି ଥାନା ଅଧୀନ ବାହାଦଲପୁରର ଅନୀଲ ଓରଫ ପପୁ ଜେନାଙ୍କୁ ହତ୍ୟା ଓ ତାଙ୍କ ବାପା ଅଭିମନ୍ୟୁ ଗୁଳିମାଡ଼ କରାଗଲା । ଏଯାଏ ହତ୍ୟାକାରୀ ଧରା ପଡ଼ି ନାହାନ୍ତି । କିନ୍ତୁ ରାଜଧାନୀରେ ବ୍ରାଉନସୁଗାର ପାଇଁ ହତ୍ୟାକାଣ୍ଡ ଘଟିବା ଏକ ଚିନ୍ତାର ବିଷୟ। ଯାହା କମିସନରେଟ ପୁଲିସକୁ ଅଡ଼ୁଆରେ ପକାଇଛି । କମିସନରେଟ୍‌ ପୁଲିସ ଏଭଳି ନିଶା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ସ୍ପେସାଲ ଟାସ୍କ ଫୋର୍ସ ଗଠନ କରିଛି । ଯାହାର ନେତୃତ୍ବ ନେଉଛନ୍ତି ଅତିରିକ୍ତ ପୁଲିସ କମିସନର। କ୍ୟୁଏଟିକୁ ସ୍ବତନ୍ତ୍ର ଭାବେ ନି‌ର୍ଦେଶ ହୋଇଛି ବ୍ରାଉନସୁଗାର ବେପାରୀଙ୍କୁ ଖୋଜି ଖୋଜି ଗିରଫ କରିବାକୁ । କିନ୍ତୁ ଜଣେ ହତ୍ୟାକାରୀ ଜାମିନରେ ଆସି ଗାଁ ଭିତରେ ୮ ମାସ କାଳ ବ୍ରାଉନସୁଗାର ବିକିବା ପରେ ମଧ୍ୟ ପୁଲିସ ଖବର ପାଇ ପାରି ନ ଥିଲା । ଯାହାକି କମିସନରେଟ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ ।

କେବଳ ସରକନ୍ତରା ଓ ବାହାଦଲପୁର ଭଳି ରାଜଧାନୀ ଉପକଣ୍ଠ ଗାଁ କାହିଁକି ଏବେ ରାଜଧାନୀର ଗଳି କନ୍ଦିରେ ବ୍ରାଉନସୁଗାର ବିକ୍ରି ହେଉଛି। ଦିନ ଥିଲା, ଲକ୍ଷ୍ମୀସାଗର ଥାନା ଅଧୀନ ହଳଦୀପଡ଼ିଆ ବସ୍ତି ଥିଲା ବ୍ରାଉନସୁଗାରର ପେଣ୍ଠସ୍ଥଳ । କିନ୍ତୁ ଏବେ ଏହି ବେପାର କାୟା ମେଲାଇବା ସହ ରାଜଧାନୀର ସବୁ ଅଞ୍ଚଳକୁ ମାଡ଼ି ମାଡ଼ି ଚାଲିଛି । କମିସନରେଟ୍‌ ପୁଲିସର ଜଟଣୀ ଥାନାଠାରୁ ଆରମ୍ଭ କରି ବାଲିପାଟଣା ଥାନା; ସବୁ ଥାନା ଅଞ୍ଚଳରୁ ଧରା ପଡ଼ିଛନ୍ତି ନିଶା ବେପାରୀ । ପୁଲିସ ନିଶା ବେପାରୀଙ୍କ ତଡ଼ିପାର କରିବାକୁ ଯୋଜନା କରିଥିଲା । କିନ୍ତୁ ଏବେ ସେହି ଯୋଜନା ବନ୍ଦ ହୋଇ ଯାଇଛି ।

ଦିନ ଥିଲା ଚୋରା ମଦ ବେପାର ଓ ମଦ ପିଇବାକୁ ନେଇ ରାଜଧାନୀରେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ହେବା ସହ ହତ୍ୟା ଉଦ୍ୟମ ଓ ହତ୍ୟାକାଣ୍ଡ ପର୍ଯ୍ୟନ୍ତ ଘଟଣା ଘଟୁଥିଲା । କିନ୍ତୁ ଏବେ ମଦ ବଦଳରେ ଯୁବ ସମାଜ ବ୍ରାଉନସୁଗାର ଜାଲରେ ପଡ଼ିଛନ୍ତି । ଏହାର ଫାଇଦା ଉଠାଇ ନିଶା ବେପାରୀମାନେ । ଗଳି କନ୍ଦିରେ ବ୍ରାଉନସୁଗାର ବିକିବା ଆରମ୍ଭ କଲେଣି। ଚୋରି, ଲୁଟ, ଛୁରାମାଡ଼ ଭଳି ଅପରାଧ କେବଳ ବ୍ରାଉନସୁଗାର ଖାଇବା ପରେ ହିଁ କରୁଛନ୍ତି । କେଉଁଠି କିଏ ଲୁଟପାଟ କଲାଣି ତ ଆଉ କିଏ କାହାକୁ ପ୍ରାଣାନ୍ତକ ଆକ୍ରମଣ ।

ରାଜଧାନୀରେ ଏକାଧିକ ଅପରାଧରେ ସଂପୃକ୍ତ ଥିବା ଅପରାଧୀ ବ୍ରାଉନସୁଗାର ପାଇଁ ଅପରାଧ ଘଟାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ବ୍ରାଉନସୁଗାର କାରବାରକୁ ନେଇ ରାଜଧାନୀରେ ହତ୍ୟାକାଣ୍ଡ ଘଟିବାରେ ଏହା ହେଉଛି ଦ୍ବିତୀୟ ଘଟଣା । ପୂର୍ବରୁ ଗତବର୍ଷ ମେ’ ମାସରେ ମଞ୍ଚେଶ୍ବର ଥାନା ଅଧୀନ ପଳାସୁଣୀ ଛକରେ ସଂଜୟ ବେହେରା ନାମକ ଜଣେ ବ୍ରାଉନସୁଗାର ବେପାରୀଙ୍କୁ ଆଉ ଜଣେ ପୁରୁଣା ବ୍ରାଉନସୁଗାର ବେପାରୀ ହାଡ଼ିବନ୍ଧୁ ବେହେରା ଓରଫ ହାଡ଼ିଆ ଛୁରି ଭୁଶି ହତ୍ୟା କରିଥିଲା ।