ଘୋଷଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି : ଚାଲିବ ୧୯୪ ସ୍ବତନ୍ତ୍ର ଟ୍ରେନ୍‌,ଖୋଲିବ ୬୦ ସ୍ବତନ୍ତ୍ର ଟିକେଟ୍‌ କାଉଣ୍ଟର୍‌

203
କନକ ବ୍ୟୁରୋ : ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍‌ ଡିଭିଜନ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ଚଳିତ ବର୍ଷ ରଥଯାତ୍ରାରେ ୧୯୪ଟି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବା ସହ ରେଳବାଇ ପକ୍ଷରୁ ଯାତ୍ରୀଙ୍କ ନିରାପତ୍ତା ଓ ଆନୁସଙ୍ଗିକ ସୁବିଧା ବ୍ୟବସ୍ଥା କରାଯାଇଥିବା ଖୋର୍ଦ୍ଧା ରୋଡ୍‌ ଡିଆର୍‌ଏମ୍ ଶଶିକାନ୍ତ ସିଂ ଆଜି ଏଠାରେ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ରଥଯାତ୍ରା ପାଇଁ ପୂର୍ବତଟ ରେଳପଥର ପ୍ରସ୍ତୁତି ସଂପର୍କରେ ସେ ଗଣମାଧ୍ୟମକୁ କହିଛନ୍ତି, ବାତ୍ୟା ଫନି ଦ୍ବାରା ପୁରୀ ରେଳ ଷ୍ଟେସନରେ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ କାର‌୍ୟ୍ୟ ଜାରି ରହିଛି । ଜୁଲାଇ ୪ ତାରିଖ ରଥଯାତ୍ରା ଅବସରରେ ବିଭିନ୍ନ ସ୍ଥାନରୁ ପୁରୀକୁ ୩୦ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସେହିପରି ୫ ତାରିଖରେ ୪୮ଟି, ୧୦ ତାରିଖ ସନ୍ଧ୍ୟାଦର୍ଶନ ପାଇଁ ୧୦ଟି, ୧୨ ତାରିଖ ବାହୁଡ଼ା ଯାତ୍ରାରେ ୩୦ଟି, ସୁନାବେଶ ଅବସରରେ ୨୮ଟି, ଏହିପରି ଶ୍ରୀଗୁଣ୍ଡିଚାରୁ ନୀଳାଦ୍ରି ବିଜେ ପର‌୍ୟ୍ୟନ୍ତ ମୋଟ ୧୯୪ଟି ସ୍ବତନ୍ତ୍ର ଟ୍ରେନ୍‌ ପୁରୀକୁ ଚଳାଚଳ କରିବ ବୋଲି ଶ୍ରୀ ସିଂ ସୂଚନା ଦେଇଥିଲେ ।
ଭୁବନେଶ୍ବର, କଟକ, ଖୋର୍ଦ୍ଧା, ବ୍ରହ୍ମପୁର, ବାଲୁଗାଁ, ପାରାଦୀପ, ଭଦ୍ରକ ଆଦି ଷ୍ଟେସନ୍‌ରେ ୬୦ଟି ୨୪ଘଣ୍ଟିଆ ଟିକେଟ୍‌ କାଉଣ୍ଟର ଖୋଲାଯିବ । ଖୋର୍ଦ୍ଧାରୋଡ୍‌ ଷ୍ଟେସନ ମୁଖ୍ୟ ଫାଟକ ସମୁଖରେ ସ୍ବତନ୍ତ୍ର ସେଡ୍‌ ସାଙ୍ଗକୁ ଯାତ୍ରୀଙ୍କ ପାଇଁ ଏକ ଅସ୍ଥାୟୀ ରହଣି ଶିବିର ଖୋଲାଯିବ। ଭିଡ଼ ସମ୍ଭାବନାକୁ ଦେଖି ଏହି ଷ୍ଟେସନ୍‌ରେ ତିନିଟି ଅଟୋମେଟିକ୍ ଟିକେଟ୍ ଭେଣ୍ଡିଂ ମେସିନ୍‌ (ଏଟିଭିଏମ୍) ବ୍ୟବସ୍ଥା କରାଯାଇଛି । ସେହିପରି ଯାତ୍ରୀଙ୍କୁ ସୂଚନା ଦେବା ପାଇଁ ‘ମେ ଆଇ ହେଲ୍ପ ୟୁ’ ନାମରେ ୪ଟି ବୁଥ୍ ଷ୍ଟେସନ୍‌ ପରିସରରେ ରହିବ। ପୁରୀ ରେଳ ଷ୍ଟେସନରେ ୬ ଲକ୍ଷ ଲୋକଙ୍କ ସୁବିଧା ନିମନ୍ତେ ଟୁରିଷ୍ଟ କଂପ୍ଲେକ୍ସରେ ଶୌଚାଳୟ, ରୋଷେଇ ଏବଂ ଚିକିତ୍ସା ବ୍ୟବସ୍ଥା କରାଯିବ।
ନିରାପତ୍ତା ଦୃଷ୍ଟିରୁ ବିଭିନ୍ନ ଷ୍ଟେସନରେ ୫୩୦ ରେଳ ସୁରକ୍ଷା ବଳ ଟିମ୍ ଏବଂ ୫୫୦ ଜିଆର୍‌ପି ଟିମ୍‌ ମୁତୟନ ହେବେ । ପୁରୀ, ଭୁବନେଶ୍ବର ଓ କଟକରେ ୫ଟି ଡଗ୍‌ ସ୍କ୍ବାଡ୍‌ ମୁତୟନ ସହିତ ରେଳବାଇ ପକ୍ଷରୁ ପୁରୀରେ ୭୩ଟି ସିସିଟିଭି କ୍ୟାମେରା ଲଗାଯିବ । ସେହିପରି ଭୁବନେଶ୍ବରରେ ୩୮ଟି ଏବଂ କଟକ ସମେତ ଅନ୍ୟାନ୍ୟ ଷ୍ଟେସନ୍‌ରେ ୩୧ଟି ସିସିଟିଭି କ୍ୟାମେରା ରହିବ । ପୁରୀ ଷ୍ଟେସନ୍‌ରେ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଅପରାଧୀଙ୍କ ଗତିବିଧି ଓ ଯାତ୍ରୀଙ୍କ ସମସ୍ୟା ଉପରେ ନଜର ରଖାଯିବ ।
ରେଳ ଷ୍ଟେସନ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ପାଇଁ ୯ଟି ଆର୍‌ପିଏଫ୍ ମହିଳା ଟିମ୍ କଡ଼ା ନଜର ରଖିବେ । ରଥଯାତ୍ରା ସମୟରେ ସ୍ବାସ୍ଥ୍ୟ ସେବା ପାଇଁ ପୁରୀରେ ରେଳବାଇ ପକ୍ଷରୁ ୨ଟି ଫାଷ୍ଟଏଡ୍ ବୁଥ୍ ସହିତ ୨ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ । ଘୋଷଯାତ୍ରା ଅବସରରେ ସ୍ବତନ୍ତ୍ର ମୋବାଇଲ୍ ଆପ୍ଲିକେସନ୍‌ରେ ରେଳ ବିଭାଗ ଯାତ୍ରୀଙ୍କୁ ସୂଚନା ପ୍ରଦାନ କରିବ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଭିଜନ୍‌ର ସିନିଅର୍ ଡିସିଏମ୍ ପିକେ ସାମଲ, ଏଡିଆର୍‌ଏମ୍ ରାଜକୁମାର, ସିନିଅର୍ ଡିଇଏନ୍ ଏସ୍‌କେ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।