ଓଡ଼ିଶାର ୧୯ଟି ନଦୀ ମୁହାଣ ପ୍ରଦୂଷିତ, ବିପଦରେ ଅଞ୍ଚଳବାସୀ

181

କନକ ବ୍ୟୁରୋ : ଦିନକୁ ଦିନ ଦେଶ ତଥା ରାଜ୍ୟରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଶିଳ୍ପାୟନ, ସହରୀକରଣ, ଆଧୁନିକୀରଣ ମୋହରେ ମଣିଷ ସମାଜ ଜଳବାୟୁକୁ ପ୍ରଦୂଷଣ କରିବାରେ ଲାଗିଛି । ନିଜ ଗୋଡ଼ରେ ନିଜେ କୁରାଢି ମାରିଲା ଭଳି ବାୟୁ ପ୍ରଦୂଷଣ ମଣିଷ ସମାଜ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି । ଆଗାମୀ ଦିନରେ ମଧ୍ୟ ଏଥି ପାଇଁ ମଣିଷସମାଜକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କୁହନ୍ତି । ଆଜିର ଦିନରେ ବିଶୁଦ୍ଧ ପାଣି-ପବନ ପାଇବା ବେଶ୍ କଷ୍ଟକର ହୋଇପଡ଼ୁଛି ।

ଓଡ଼ିଶାର ୧୯ଟି ନଦୀ ମୁହାଣ ପ୍ରଦୂଷିତ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ଦର୍ଶାଯାଇଛି । ଏହି ତଥ୍ୟକୁ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । ରିପୋର୍ଟ ମୁତାବକ ଭାରତର ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୩୫୧ଟି ନଦୀ ମୁହାଣ ପ୍ରଦୂଷିତ ଅଛି । ପ୍ରଦୂଷିତ ହୋଇଥିବା ଓଡ଼ିଶାର ୧୯ ନଦୀ ମୁହାଣ ମଧ୍ୟରେ ଗଙ୍ଗୁଆ, ଗୁରାଡ଼ି, ନଲ୍ଲାହ, କାଠଯୋଡ଼ି, ନନ୍ଦିରାଝୋର, ଦୟା, କୁଆଖାଇ, ବାଙ୍ଗୁରା, ଭେଡେନ୍‌, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁସୁମି, ମହାନଦୀ, ମଙ୍ଗଳା, ନାଗାବଳି, ଲୁଣ, ରତ୍ନଚିର, ଋଷିକୁଲ୍ୟା, ସାବୁଲିଆ ଓ ସେରୁଆ ଆଦି ରହିଛି । ସରକାରଙ୍କ ରିପୋର୍ଟ ଅନୁସାରେ ପ୍ରଦୂଷିତ ନଦୀ ମୁହାଣରେ ପ୍ରଦୂଷଣ ମାତ୍ରା ହ୍ରାସ କରିବା ପାଇଁ ଜାତୀୟ ନଦୀ ସଂରକ୍ଷଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶାର ଉପକୂଳ ଅଞ୍ଚଳ ପାଇଁ ୨୦୧୭-୧୮ରେ ୧.୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି ।