ଧରାପଡ଼ିଲେ ମାର୍କେଟ ବିଲ୍ଡିଂରେ ଆତଙ୍କ ଖେଳାଇଥିବା ମୁଖାପିନ୍ଧା ଦୁର୍ବୃତ୍ତ : ୧୮ଜଣଙ୍କୁ ଗିରଫ କରିବା ସହ ୫ଟି ବାଇକ୍ ଜବତ କଲା ପୋଲିସ 

852

କନକ ବ୍ୟୁରୋ :ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣ ମାମଲାରେ ୧୮ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଏଥିସହ ଦୁର୍ବୃତ୍ତମାନେ ଆକ୍ରମଣ ପାଇଁ ଆସିବା ବେଳେ ବ୍ୟବହାର କରିଥିବା ୫ଟି ବାଇକକୁ ଜବତ କରାଯାଇଛି । କମିସନରେଟ ପୁଲିସ ତରଫରୁ ଏହି ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ମାର୍କେଟ ବିଲ୍ଡିଂ ବାହାରେ ଥିବା ଉଠା ଦୋକାନୀଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ କିଛି ଦୁର୍ବୃତ୍ତ । କେହି କିଛି ବୁଝିବା ଆଗରୁ ହଠାତ ୨୫ରୁ ୩୦ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କଟ ବିଲ୍ଡିଂରେ ପହଂଚିଥିଲେ ।

ଗୋଟିଏ ମୁଣ୍ଡରୁ ଉଠାଦୋକାନୀଙ୍କ ଉପରେ ଆକ୍ରମଣ କରିଥିଲେ । ହାତରେ ମାରଣାସ୍ତ୍ର ଧରିଥିବା ଏହି ଦୁର୍ବୃତ୍ତମାନେ ଛୋଟଛୋଟ ଦୋକାନ ଗୁଡିକୁ ଭାଙ୍ଗି ଦେଇଥିଲେ । କିଛି ସମୟ ମଧ୍ୟରେ ଦୋକାନ ଭଙ୍ଗାରୁଜା କରିବା ସହ ଦୋକାନୀଙ୍କ ଉପରେ କରିଥିଲେ ଜୋରଦାର ଆକ୍ରମଣ । ଘଟଣାସ୍ଥଳରେ ଡିପିସିଙ୍କ ନେତୃତ୍ୱରେ ଏକ ପୁଲିସ୍ ଟିମ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ଗୁରୁବାର ୟୁନିଟ- ୪ ଅଂଚଳରେ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ୟୁନିଟ-୨ ମାର୍କେଟ ବିଲ୍ଡିଂ ଆସିଥିଲେ । ମାର୍କେଟିଂ କରିବା ପରେ କେଶରୀ ମଲ ସାମ୍ନାରେ ଘଂଟା ଦୋକାନ କରିଥିବା ଅମୋଦ କୁମାର ଶାହାଙ୍କ ଦୋକାନରୁ ଘଂଟା କିଣିଥିଲେ । ତେବେ ଘଂଟାକିଣା ବାର୍ଗେନକୁ ନେଇ ଯୁବତୀ ଓ ଘଂଟା ଦୋକାନୀଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା ।

ଯୁବତୀଙ୍କ ପୁରୁଷ ବନ୍ଧୁ ଏହାର ପ୍ରତିବାଦ କରିବାରୁ ଉଠାଦୋକାନୀମାନେ ମିଳିତ ହୋଇ ତାଙ୍କୁ ମାଡ ମାରିଥିଲେ । ଏନେଇ ଯୁବକଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ କେତେକ ଉଠାଦୋକାନୀଙ୍କୁ ଥାନାରେ ଅଟକ ରଖି ପରେ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ଉତକ୍ଷିପ୍ତ ହୋଇ ପୁରୁଷ ବନ୍ଧୁ ଜଣକ ତାଙ୍କ ସହ ଯୋଗୀ ମାନଙ୍କୁ ସାଙ୍ଗରେ ଆଣି ଏଭଳି ଆକ୍ରମଣ କରିଥିବା ଜଣାପଡିଛି ।