କରୋନା ସଂକ୍ରମଣ ଭୟ : ଜଗତସିଂହପୁର ପରେ ଗଜପତି, ଭଦ୍ରକ ଓ କନ୍ଧମାଳରେ ୧୪୪ ଧାରା ଜାରି

1,496

କନକ ବ୍ୟୁରୋ : ଗଜପତିରେ ବି ୧୪୪ ଧାରା ଜାରି କରାଯାଇଛି । ସବୁ ଯାତ୍ରା, ଦଣ୍ଡନାଟ,ଅପେରା ସୋ, ବରଯାତ୍ରୀ ଉପରେ କଟକଣା ଲଗାଯାଇଛି । ଜିଲ୍ଲାର ସମସ୍ତ କଳ୍ୟାଣ ମଣ୍ଡପକୁ ବନ୍ଦ କରାଯାଇଛି । କୌଣସି ଜାଗାରେ ୫ରୁ ଅଧିକ ଲୋକ ଏକାଠି ନହେବାକୁ କୁହାଯାଇଛି । ସବୁ ମଲ, ସିନେମା ହଲ, ବନ୍ଦ କରାଯାଇଛି । ଲୁଗା ଦୋକାନ,କପାଡ ଦୋକାନ ବି ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କେବଳ ଖୋଲା ରହିବ ।

ସେହିପରି ଭଦ୍ରକରେ ବି ୧୪୪ ଧାରା ଜାରି ରଖାଯାଇଛି । କରୋନା ପାଇଁ ସତର୍କତା ମୂଳକ ପଦକ୍ଷେପ ନିଆଯାଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ସମସ୍ତ ସ୍କୁଲ, ଅଙ୍ଗନବାଡି କେନ୍ଦ, ସିନେମା ହଲ ବନ୍ଦ ପରେ ଆଜି ସମସ୍ତ ସପିଂ ମଲ, ଜିମ, ସେଂଟରକୁ ଆସନ୍ତା ୩୧ ଯାଏ ବନ୍ଦ କରାଯାଇଛି । ଏହା ଛଡା ଜରୁରୀକାଳୀନ ସେବା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସେପଟେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ କରୋନା ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲାଯାଇଛି ।

କରୋନାକୁ ନେଇ କନ୍ଧମାଳରେ ୧୪୪ଧାରା ଜାରି ହୋଇଛି । ୧୪୪ଧାରା ଜାରି କଲା ଜିଲ୍ଲା ପ୍ରଶାସନ । ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ନହେବାକୁ ନିର୍ଦ୍ଦେଶ । ଜିଲ୍ଲାରେ ଦଣ୍ଡ ଯାତ୍ରା ସମେତ କୌଣସି ପର୍ବ ନପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କରୋନା ପାଇଁ ଜଗତସିଂହପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ଶାରଳା ମନ୍ଦିର,ଗୋରେଖ ନାଥ ସହ ବିଭିନ୍ନ ମନ୍ଦିରମାନଙ୍କରେ ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି କରାଯାଇଛି । ଏହା ସହ ବିଭିନ୍ନ ମେଳା, ମନ୍ଦିର, ମସଜିଦ, ପର୍ଯ୍ୟଟନ ସ୍ଥଳ, ମଲ ଓ ହୋଟେଲକୁ ମଧ୍ୟ ବନ୍ଦ କରାଯାଇଛି । ସରକାରୀ କାର୍ଯ୍ୟକୁ ଇ ଅଫିସ ଜରିଆରେ କରିବାକୁ ଜିଲ୍ଲାପାଳ କହିଛନ୍ତି । ଜଗତସିଂହପୁରରେ ବାହାରୁ ଆସିଥିବା ୨୭ ଜଣଙ୍କ ଉପରେ ନଜର ରଖାଯାଇଛି । କରୋନା ନେଇ ଗୁଜବ କଲେ ଗିରଫ କରିବାକୁ ଏସପି କହିଛନ୍ତି ।