ରାଜ୍ୟରେ ସଂକ୍ରମଣ ବେଗ କ୍ଷୀପ୍ର : ୨ ଦିନରେ ୧୨୪ ଏବଂ ମାତ୍ର ୧୩ ଦିନରେ ୩୯୫ ଆକ୍ରାନ୍ତ ଚିହ୍ନଟ

1,088

କନକ ବ୍ୟୁରୋ : ରାଜ୍ୟରେ ସଂକ୍ରମଣ ବେଗ କ୍ଷୀପ୍ର ହେବାରେ ଲାଗିଛି । ଆଜି ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଟପିଥିବା ବେଳେ ୨ ଦିନରେ ରାଜ୍ୟରେ ୧୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ୨୩ ଜଣ ଓ ଆଜି ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଞ୍ଚିଛି । ତେବେ ସବୁଠାରୁ ଅଧିକ ଚିନ୍ତାଜନକ ବିଷୟ ହେଲା ମେ ମାସରେ ବଢ଼ିଚାଲିଛି ରୋଗୀଙ୍କ ତାଲିକା । ସେହିପରି ମେ ୧ ତାରିଖରୁ ମେ ୧୩ ତାରିଖ ସକାଳ ୯ଟା ସୁଦ୍ଧା ଚିହ୍ନଟ ହୋଇଛନ୍ତି ୩୯୫ ଆକ୍ରାନ୍ତ ।

ରାଜ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଶହେ ଛୁଇଁଲା କରୋନା ପଜିଟିଭ । ଆଜି ୧୦୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଂଜାମରେ ସର୍ବାଧିକ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୩୩ ନୂଆ ଆକ୍ରାନ୍ତ, ସୁନ୍ଦରଗଡରେ ୭ ଓ କେନ୍ଦୁଝରରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଆଜି ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଗଂଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ ହୋଇଛି । ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦, ଯାଜପୁରରେ ୭୧ ଓ ସୁନ୍ଦରଗଡରେ ଏଯାଏଁ ୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝରରେ ଆଜିର ୨ ନୂଆ ଆକ୍ରାନ୍ତକୁ ମିଶାଇ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତମାନ ସୁଦ୍ଧା ୫୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧୯ ଆକ୍ଟିଭ କେସ ରହିଛି । ୧୧୬ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଦିନ ଭିତରେ ରାଜ୍ୟରେ ୧୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ସୁଦ୍ଧା ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ କରୋନା ଆକ୍ରାନ୍ତଙ୍କ ତାଲିକାର ଦ୍ୱିତୀୟରେ ରହିଛି ବାଲେଶ୍ୱର ଜିଲ୍ଲା । ବାଲେଶ୍ୱରରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି । ସେହିପରି ଯାଜପୁର ଜିଲ୍ଲାରୁ ୭୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ଭଦ୍ରକ ଜିଲ୍ଲାରୁ ୩୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୩ ଜଣ ଅନୁଗୁଳ ଜିଲ୍ଲାରୁ ୧୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୯ ଜଣ, ପୁରୀରୁ ୪, ବୌଦ୍ଧ ଜିଲ୍ଲାରୁ ୪ଜଣ, କେନ୍ଦୁଝରରୁ ୪ ଓ କଟକରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ବଲାଙ୍ଗୀର, ଝାରସୁଗୁଡ଼ା, ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦବ୍ୟତୀତ ନୟାଗଡ଼, କୋରାପୁଟ, ଦେବଗଡ଼ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।