କେନ୍ଦ୍ରାପଡାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଳି ବ୍ଲକର ୧୨ଟି ଗାଁ ସିଲ୍ : ଗାଁକୁ ଯିବା ଆସିବା ଉପରେ କଟକଣା ଲଗାଇଲା ପ୍ରଶାସନ

888

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଳି ବ୍ଲକର ୧୨ଟି ଗାଁକୁ ସିଲ୍ କରିଛି ପ୍ରଶାସନ । ତିନୋଟି ପଞ୍ଚାୟତର ଏହି ସମସ୍ତ ଗାଁକୁ ଯିବା ଆସିବା ଉପରେ କଟକଣା ଲଗାଇଲା ପ୍ରଶାସନ । ତେବେ ଏହି ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଏହା ସହିତ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ସେ ନେଇ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଛି ।

ଗତକାଲି ରାତିରେ କେନ୍ଦ୍ରାପଡାର ଜଣେ ଦୁବାଇ ଫେରନ୍ତା ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ସେ ଗତ ମାସ ୨୪ ତାରିଖରେ ସେ ଦୁବାଇରୁ ଫେରିଥିଲେ । ତାଙ୍କ ନମୁନା ପଜିଟିଭ୍ ଆସିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ଭୁବନେଶ୍ୱରରୁ ୩୧ ଜଣ, ଭଦ୍ରକରୁ ୩ ଜଣ ଏବଂ କେନ୍ଦ୍ରାପଡା କଟକ, କଳାହାଣ୍ଡି ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଚିକିତ୍ସା ପରେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପଟେ କେନ୍ଦ୍ରାପଡା ସହରରେ ଆଜି ସକାଳୁ ସକାଳୁ ଦେଖିବାକୁ ମିଳିଛି ପ୍ରବଳ ଭିଡ । ଲୋକମାନେ ରାସନ ଓ ପରିବା କିଣିବାବେଳେ ସାମାଜିକ ଦୂରତା ପାଳନ କରୁନଥିବା ଦେଖିବାକୁ ମିଳିଛି ।