ଆଜି ଚିହ୍ନଟ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର : ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ୭୭ ବର୍ଷିୟ ବୃଦ୍ଧ କରୋନା ଆକ୍ରାନ୍ତ, ୪୧ ନଂ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ୧୧୯ ନଂ ଆକ୍ରାନ୍ତ

971

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ତାଲିକା । ତେବେ ଏହାରି ମଧ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ କରୋନା ରୋଗୀଙ୍କ ତଥ୍ୟ ଆସଛି । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ୧୧୯ ନଂ ଆକ୍ରାନ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ବୋଲି ସୂଚନା ମିଳିଛି । ଏହି ବ୍ୟକ୍ତିଙ୍କର ବୟସ ୭୭ ବର୍ଷ । ସେ ୪୧ ନଂ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଛି । ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର କଣ୍ଟାକ୍ଟ ଟ୍ରେନିଂ ପ୍ରକିୟା ଆରମ୍ଭ କରିଛନ୍ତି ସରକାର । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି ।

ତେବେ ଚିନ୍ତା ବଢ଼ାଇ ଦେଇଛନ୍ତି ନୂଆ ଆକ୍ରାନ୍ତ । କାରଣ ବେଶ୍ କିଛି ଦିନର ବ୍ୟବଧାନ ପରେ ଖୋର୍ଦ୍ଧାରେ ଆଜି ପୁଣି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗୋଟିଏପଟେ କରୋନା ପାଇଁ ରାଜଧାନୀ ଭୁବନେଶ୍ୱରରେ ଜାରି ହୋଇଥିବା କଟକଣାକୁ କିଛି ମାତ୍ରାରେ କୋହଳ କରିବା ପାଇଁ ବିଏମସ ନିଷ୍ପତ୍ତି ନେଇଛି । ଏପଟେ ଆଜି ପୁଣି ଜଣେ ନୂଆ କରୋନା ରୋଗୀ ଚିହ୍ନଟ ହେବା ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଆଜି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଂଚିଛି । ଏବଂ କେବଳ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୭ ଛୁଇଁଛି । ବିଭିନ୍ନ କୋଭିଡ ହସ୍ପିଟାଲରେ ୮୦ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବଂ ଜଣେ ପ୍ରାଣ ହରାଇଛନ୍ତି ।