ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି : କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ . . ଦେଖନ୍ତୁ ସମ୍ପୂର୍ଣ୍ଣ ବିବରଣୀ

695

କନକ ବ୍ୟୁରୋ : ରାଜ୍ୟରେ କାୟା ବିସ୍ତାର କରିଚାଲିଛି କରୋନା । ସାରା ଦେଶ ତଥା ରାଜ୍ୟ ତାଲାବନ୍ଦରେ ଥିବା ସତ୍ୱେ ସଂକ୍ରମିତଙ୍କ ସଂଖ୍ୟା ଥମିବାର ନା ନେଉନି । ଜିଲ୍ଲା ପରେ ଜିଲ୍ଲା ଡେଉଁଛି ଭୟଙ୍କର ଭାଇରସ୍ । ରାଜ୍ୟରେ ଆଜି କରୋନା ଆକ୍ରାନ୍ତ ସଂଖ୍ୟା ୧୧୮କୁ ବୃଦ୍ଧି ହୋଇଛି । ରାଜ୍ୟର ୧୧ ଜିଲ୍ଲାରେ ପାଦ ରଖିଛି କୋଭିଡ୍ ୧୯ ଭୂତାଣୁ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରେ ୧୯ , ବାଲେଶ୍ୱରରେ ୧୬, ଯାଜପୁରରେ ୧୯,କେନ୍ଦ୍ରାପଡାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋରାପୁଟରେ ଜଣେ , କଳାହାଣ୍ଡି ଜିଲ୍ଲାରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଆଉ ୭ ଜଣ ବ୍ୟକ୍ତିଙ୍କ ଦେହରେ କରୋନା ଭୂତାଣୁ ଠାବ ହୋଇଥିବା ଜଣାପଡିଛି । ସୁନ୍ଦରଗଡରୁ ୪ ଓ ଭଦ୍ରକରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୭ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଓ ଭଦ୍ରକ ଜିଲ୍ଲାରୁ ଆଉ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ବର୍ତମାନ ୭ ଜଣ ଆକ୍ଟିଭ୍ କେସ୍ ରହିଛନ୍ତି , ୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେପଟେ ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୨ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ଭଦ୍ରକ ଜିଲ୍ଲାରେ ଏବେ ମୋଟ୍ ଆକ୍ଟିଭ୍ କେସ୍ ୧୭ ରହିଛି ।

ବର୍ତ୍ତମାନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୦ ରହିଛି । ୩୭ ଜଣ ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ।