ବିହାରର ମୁଜାଫରପୁରରେ ସ୍କର୍ପିଓ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ୧୧ ମୃତ, ୪ ଗୁରୁତର

94

କନକ ବ୍ୟୁରୋ : ବିହାରର ମୁଜାଫରପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ଭୋର ସମୟରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି  । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି । ମୁଜାଫରପୁର ଜିଲ୍ଲାର କାଣ୍ଟି ଥାନା ଅଞ୍ଚଳରେ ଏକ ସ୍କର୍ପିଓ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ଉପୁଜିଛି  ।

ସୂଚନା ଅନୁଯାୟୀ, ସ୍କର୍ପିଓ ୨୮ ନମ୍ବର ଜାତୀୟ ରାଜପଥରେ ଯାଉଥିଲା । ଏହା ନିୟନ୍ତ୍ରଣ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଖବର ପାଇବା ମାତ୍ରେ କାଣ୍ଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବାର ବ୍ୟବସ୍ଥା କରିଥିଲା । ଏହି ସମୟରେ ଘଟଣାସ୍ଥଳରେ ଶତାଧିକ ଲୋକ ଜମା ହେବା ଫଳରେ କିଛି ସମୟ ଧରି ସେହି ବାଟ ଦେଇ ଯାତାୟତ ପ୍ରଭାବିତ ହୋଇଥିଲା । ପୁଲିସର ସୂଚନା ଅନୁସାରେ ସରମସପୁର ହେଲଥ କେୟାର ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଯେଉଁ ସ୍କର୍ପିଓ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ସେଥିରେ ଉତ୍ତର ପ୍ରଦେଶ ପରିବହନ କାର୍ଯ୍ୟାଳୟର ପଞ୍ଜିକରଣ ନମ୍ବର ଅଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଆହତମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲା । ଆହତମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।