କନକ ବ୍ୟୁରୋ : ୨୦୧୪ ମସିହାରୁ ୨୦୧୯ ମସିହା ଭିତରେ ୧୦ କେଜି ୨୪୫ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ହୋଇଛି । ପୁଲିସ, ଅବକାରୀ, ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ, ଏସ୍ଟିଏଫ୍ ଏଭଳି ୪ଟି ସଂସ୍ଥା ଏହି ନିଶାଦ୍ରବ୍ୟ ଜବତ କରିଛନ୍ତି । ୧୭୦ ମାମଲା ରୁଜୁ ହୋଇଥିବା ବେଳେ ୧୮୯ ଜଣ ଗିରଫ ହୋଇଛନ୍ତି । ୨୦୧୯ ମସିହା ମାର୍ଚ୍ଚ ପର୍ଯ୍ୟନ୍ତ ଏହି ପରିମାଣର ନିଶାଦ୍ରବ୍ୟ ଜବତ ହୋଇଥିବାର ସୂଚନା ଅବକାରୀ ମନ୍ତ୍ରୀ ବିଧାନସଭାରେ ରଖିଛନ୍ତି । ୫ ବର୍ଷରେ ବାଲେଶ୍ବର, ଖୋର୍ଦ୍ଧା, ମୟୂରଭଞ୍ଜ, କଟକ ଓ ପୁରୀକୁ ଛାଡ଼ିଦେଲେ ଅନ୍ୟ କୌଣସି ଜିଲ୍ଲାରେ ବ୍ରାଉନସୁଗାର ଜବତ ହୋଇ ନାହିଁ ।
ଏହା ଛଡ଼ା ଚଳିତ ବର୍ଷ ଜାନୁଆରି ଓ ଫେବ୍ରୁଆରି ମାସ ମଧ୍ୟରେ କେବଳ ଏସ୍ଟିଏଫ୍ ୨୨ ନିଶା ବେପାରୀଙ୍କୁ ଗିରଫ କରିବା ସହ ୮୭୪.୩ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରିଛି। ବାଲେଶ୍ବରରୁ ସେକ୍ ରାଜା ନାମକ ଜଣେ ବ୍ୟବସାୟୀକୁ ଧରିବା ସହ ତା’ ଠାରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଥିଲା। ବିଦେଶରୁ ଜଳପଥ ଦେଇ ବ୍ରାଉନସୁଗାର ଆଣି ଏଠାରେ ବେପାରୀଙ୍କୁ ଯୋଗାଉଥିଲା। ଏସ୍ଟିଏଫ୍ ତାକୁ ମାଷ୍ଟର ମାଇଣ୍ଡ ବୋଲି କହିଥିଲା। ସେ ଗିରଫ ହୋଇ ଏବେ ଜେଲ୍ରେ ଅଛି। ହେଲେ ସପ୍ତାହରେ ଦୁଇ ତିନିଥର କମିସନରେଟ୍ ପୁଲିସ ଏହି ନିଶାଦ୍ରବ୍ୟ ଜବତ କରୁଥିବା ବେଳେ ଏସ୍ଟିଏଫ୍ ମାସରେ ପାଖାପାଖି ଦୁଇଥର ଏଭଳି ନିଶା ବେପାରୀଙ୍କୁ ଗିରଫ କରୁଛି। ଖୋର୍ଦ୍ଧାରୁ ଛୋଟାକୁ ଧରିବା ପରେ ଏସ୍ଟିଏଫ୍ ତାକୁ ମାଷ୍ଟର ମାଇଣ୍ଡ ବୋଲି କହିଥିଲା। ହେଲେ ଖୋର୍ଦ୍ଧାରେ ମଧ୍ୟ ବେପାର ବେଶ୍ ଜୋର୍ସୋର୍ରେ ଚାଲିଛି। କିନ୍ତୁ କେହି ମୂଳ ପାଉ ନାହାନ୍ତି। ଯେତିକି ଧରୁଛନ୍ତି ସେତିକି ବେପାର ଚାଲୁଛି।