କନକବ୍ୟୁରୋ: ବିଜୁ କ୍ରୀଡ଼ା ପୁରସ୍କାର, ପୂର୍ବ ଭଳି ଚାଲୁ ରହିବ। ଏହାର ନାମ ପରିବର୍ତ୍ତନ ନେଇ କୌଣସି ନିଷ୍ପତ୍ତି ହୋଇନି । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କିନ୍ତୁ ପ୍ରଶ୍ନ ଉଠିଛି କାହା ନିର୍ଦ୍ଦେଶରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଶୁକ୍ରବାର ନାମ ବଦଳାଇବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା । ଗୋଟିଏ ପଟେ ବିରୋଧୀ ଛାୟା କ୍ୟାବିନେଟ ଜରିଆରେ ମୋହନ ସରକାର ଉପରେ ନଜର ରଖିଛି । ଅନ୍ୟପଟେ ବିଜ୍ଞପ୍ତି ପ୍ରକାଶ କରାଯାଇ ସରକାର ବ୍ୟାକଫୁଟକୁ ଯାଉଛନ୍ତି। ତେଣୁ ସରକାରକୁ ଅପଦସ୍ତ କରାଇବା ପଛର ଖଳନାୟକ କିଏ ତାକୁ ନେଇ ଚର୍ଚ୍ଚା ।

Advertisment

ବିଜୁ ପଟ୍ଟନାୟକ ଉଲ୍ଲେଖନୀୟ କ୍ରୀଡା ପୁରସ୍କାରର ନାଁ ବଦଳାଇ ଓଡିଶା ରାଜ୍ୟ କ୍ରୀଡା ସମ୍ମାନ ହେଲା। ଶୁକ୍ରବାର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏଭଳି ବିଜ୍ଞପ୍ତି ପ୍ରକାଶ କରିଥିଲା। ଦେଖନ୍ତୁ ଏଥିରେ କ୍ରୀଡା ନିର୍ଦ୍ଦେଶକଙ୍କ ଦସ୍ତଖତ ମଧ୍ୟ ରହିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏପରି କୌଣସି ନିଷ୍ପତି ରାଜ୍ୟ ସରକାର ନେଇନଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। ଏପରିକି ନିଷ୍ପତ୍ତି ବାବଦରେ ଗଣମାଧ୍ୟମରୁ ଅବଗତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ସରକାର ବରପୁତ୍ରଙ୍କୁ ସମ୍ମାନ ଦିଏ। ତେଣୁ ପୂର୍ବଭଳି ବିଜୁ ପଟ୍ଟନାୟକ ଉଲ୍ଲେଖନୀୟ କ୍ରୀଡା ପୁରସ୍କାର ଚାଲୁ ରହିବ ବୋଲି ସେ ଘୋଷଣା କରିଛନ୍ତି ।

ସରକାରରେ ସର୍ବୋଚ୍ଚ ନେତା ମୁଖ୍ୟମନ୍ତ୍ରୀ। ସମସ୍ତ ବିଭାଗର ମୁଖ୍ୟ। ତେଣୁ ତାଙ୍କ ଟିମ ଯେଉଁ ନିଷ୍ପତି ନେବ, ସେନେଇ ତାଙ୍କୁ କିମ୍ୱା ତାଙ୍କ ଅଫିସକୁ ଅବଗତ କରିବା କଥା। ହେଲେ ଶୁକ୍ରବାର ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରବିବାର ନିଜେ ମୁଖ୍ୟମନ୍ତ୍ରୀ ଜାଣିନଥିବା କହିବା ବଡଧରଣର ସନ୍ଦେହ ତିଆରି କରୁଛି। ମୁଖ୍ୟମନ୍ତ୍ରୀଙ୍କ ଅଗୋଚରରେ ନିଷ୍ପତ୍ତି ନିଆଯାଉଛି କି? ମୁଖ୍ୟମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ନିଷ୍ପତ୍ତି ନେଉଛି କିଏ? ଆଜି ମୁଖ୍ୟମନ୍ତ୍ରୀଙ୍କ ସଫେଇ ପରେ କ୍ରୀଡାମନ୍ତ୍ରୀ ମଧ୍ୟ କହିଛନ୍ତି, ଓଡିଶାର ବରପୁତ୍ରମାନଙ୍କୁ ସମ୍ମାନ ଦେଉଛି କ୍ରୀଡା ବିଭାଗ। ଏପଟେ କିନ୍ତୁ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।

ପୂର୍ବରୁ ରାଜ୍ୟରେ ମଦ ବନ୍ଦ ହେବ ବୋଲି ସାମାଜିକ ନ୍ୟାୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ। କିନ୍ତୁ ଏପରି କୌଣସି ନିଷ୍ପତି ହୋଇନଥିବା ଅବକାରୀ ବିଭାଗ ତରଫରୁ କୁହାଗଲା। ଏବେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରସଙ୍ଗରେ, ସରକାରଙ୍କୁ ବ୍ୟାକଫୁଟକୁ ଠେଲିଦେଇଥିବା ଦୋଷୀ ଅଫିସରଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାର କଥା