ଅକ୍ଟୋବର ମାସ ସୁଦ୍ଧା କୋଟିଏ ଟିକା ଯୋଗାଇବ ଜାଇଡସ୍ କାଡିଲା । ୧୨ ବର୍ଷରୁ ଅଧିକ ସମସ୍ତେ ନେଇ ପାରିବେ ୩ ଡୋଜ୍ ବିଶିଷ୍ଟ କୋଭିଡ୍ ଟିକା ଜାଇକୋଭ-ଡି 

106

କନକ ବ୍ୟୁରୋ: କରୋନା ବିରୋଧରେ ଟ୍ରିପଲ ଡୋଜ୍ ବିଶିଷ୍ଟ ଜାଇଡସ କାଡିଲା ଟିକାକୁ ଜରୁରୀକାଳିନ ବ୍ୟବହାର ପାଇଁ ମିଳିଛି ଅନୁମତି । ୧୨ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଏହି ଟିକା ନେଇ ପାରିବେ । ଆଉ ୧୮ ବର୍ଷରୁ କମ୍ ପିଲାଙ୍କ ପାଇଁ ଏହା ଦେଶର ପ୍ରଥମ ଟିକା ହେବା ।

କରୋନା ଟିକା ଜାଇକୋଭ-ଡିକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଅକ୍ଟୋବର ସୁଦ୍ଧା ଏହାର ୧ କୋଟି ଡୋଜ୍ ଯୋଗାଇ ଦେବ ବୋଲି ଜାଇଡସ କାଡିଲା ପକ୍ଷରୁ କୁହାଯାଇଛି । ଶନିବାର ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି କାଡିଲା ହେଲ୍ଥ ସେଂଟର କାର୍ଯକାରୀ ନିର୍ଦ୍ଦେଶକ ଶର୍ବିଲ ପଟେଲ । ସେ କହିଛନ୍ତି ତାଙ୍କ କମ୍ପାନୀ ଡିସେମ୍ବରରୁ ଜାନୁଆରୀ ସୁଦ୍ଧା ମାସକୁ ୩ରୁ ୫ କୋଟି ଡୋଜ୍ ଟିକା ଉତ୍ପାଦନ କରିବ ।

ଭାରତ ସରକାରଙ୍କ ମିଶନ କୋଭିଡ ସୁରକ୍ଷା ଅଧିନରେ ଜାଇଡସ କାଡିଲା ସହ ମିଶି ବାୟୋଟେକ୍ନୋଲୋଜି ବିଭାଗ ଏହି ଟିକା ପ୍ରସ୍ତୁତ କରିଛନ୍ତି । ଜାଇଡସ୍ କାଡିଲାର କରୋନା ଟିକା ‘ଜାଇକୋଭ-ଡି’ ବିଶ୍ୱର ପ୍ରଥମ ଓ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ଡିଏନଏ ଭିତ୍ତିକ ଟିକା । ଏହାକୁ ୨୮ ହଜାର ଲୋକଙ୍କ ଉପରେ ପରୀକ୍ଷଣ କରାଯାଇଥିଲା । ୧୨ରୁ ଅଧିକ ସମସ୍ତ ପିଲା ଓ ବୟସ୍କ ଏହି ଟିକା ନେଇ ପାରିବେ । ଏହି ଟିକା କରୋନାର ଡେଲ୍ଟା ଭାରିଆଂଟ୍ ବିରୋଧରେ ୬୬% ପ୍ରଭାବି ।

କୋଭିସିଲ୍ଡ, କୋଭାକ୍ସିନ୍,ସ୍ପୁଟନିକ-ଭି, ମଡର୍ଣ୍ଣା ଓ ଜନସନ ଆଣ୍ଡ ଜନସନ ପରେ ଦେଶକୁ ୬ଷ୍ଠ କରୋନା ଟିକା ଭାବେ ମିଳିଛି ଜାଇଡସ କାଡିଲାର ୩ ଡୋଜ୍ ବିଶିଷ୍ଟ ଟିକା । କରୋନାର ସବୁ ପ୍ରକାର ଭାରିଏଂଟ ବିରୋଧରେ ଏହା ଲଢିବାକୁ ସକ୍ଷମ ବୋଲି କୁହାଯାଉଛି ।