ଭାରତ ବାୟୋଟେକ ପରେ ଜାଇଡସ କାଡିଲାକୁ କରୋନା ଟୀକା ପରୀକ୍ଷା ପାଇଁ ଅନୁମତି :  ମଣିଷ ଶରୀରରେ କ୍ଲିନିକାଲ ଟ୍ରାୟଲ ପାଇଁ ଡିସିଜିଆଇର ଅନୁମତି , ଅହମଦାବାଦ ସ୍ଥିତ ଔଷଧ କମ୍ପାନୀ ଜାଇଡସ କାଡିଲା

245

ଭାରତ ବାୟୋଟେକ ପରେ ଜାଇଡସ କାଡିଲାକୁ କରୋନା ଟିକା ପରୀକ୍ଷଣ ପାଇଁ ମିଳିଲା ଅନୁମତି । କମ୍ପାନି ଦ୍ୱାରା ପ୍ରସ୍ତୁତ ଟିକାକୁ ମଣିଷ ଶରୀରରେ ପ୍ରୟୋଗ ପାଇଁ ଅନୁମତି ଦେଇଛି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ବା ଡିସିଜିଆଇ । କରୋନା ମହାମାରୀ ଯେଉଁ ଭଳି ଦିନକୁ ଦିନ ସଂକ୍ରାମକ ହୋଇ ମାଡି ଚାଲିଛି ଏଭଳି ସଙ୍କଟ ସମୟରେ ଏକ ପ୍ରଭାବୀ ଟିକାର ଘୋର ଆବଶ୍ୟକତା ରହିଛି । ତେଣୁ ଜାଇଡସ ପକ୍ଷରୁ ବିକଶିତ ଟିକା ପଶୁ  ଦେହରେ ପ୍ରୟୋଗ ପରେ ସଫଳତା ମିଳିଥିବାରୁ ଏବେ ମାନବ ଦେହରେ ପ୍ରୟୋଗ ପାଇଁ ଅନୁମତି ଦିଆଯାଇଛି ।

ମଣିଷ ଦେହରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲ ପାଇଁ ଅନୁମତି ଦିଆଯାଇଥିବା ଡିସିଜିଆଇ ମୁଖ୍ୟ ଡାକ୍ତର ଭିଜି ସୋମାନୀ ସୂଚନା ଦେଇଛନ୍ତି । ତେବେ ଏହି ପରୀକ୍ଷଣ ତିନି ମାସ ମଧ୍ୟରେ ଶେଷ ହୋଇଯିବ ବୋଲି ସୂଚନା ମିଳିଛି । ଅହମଦାବାଦରେ ରହିଛି ଏହି ଔଷଧ କମ୍ପାନୀ ଜାଇଡସ କାଡିଲା । ପୂର୍ବରୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକକୁ କରୋନା ଟିକା କୋଭାକ୍ସିନକୁ ମଣିଷ ଶରୀରରେ ପ୍ରୟୋଗ ପାଇଁ ଅନୁମତି ମିଳିସାରିଛି ।