ପିଲାମାନଙ୍କ ପାଇଁ କୋଭିଡ ଟିକା ଆସିବା ହୋଇପାରେ ଡେରି । ଆପାତକାଳୀନ ମଞ୍ଜୁରୀ ପାଇଁ ଲାଗିପାରେ ଆଉ କିଛି ସମୟ

109

କନକ ବ୍ୟୁରୋ : ଗୁଜୁରାଟ ସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ଜାଇଡସ କାଡିଲା ପିଲାମାନଙ୍କ ପାଇଁ ପ୍ରସ୍ତୁତ କରୁଥିବା କରୋନା ଟିକା ଜାଇକୋଭି-ଡି କୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବାକୁ ଆଉ କିଛି ସମୟ ଲାଗିପାରେ ।  କମ୍ପାନୀ ପକ୍ଷରୁ ଜୁଲାଇ ୧ ତାରିଖରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇକୁ ଅନୁମତି ମାଗିଥିଲା । କମ୍ପାନୀ ପକ୍ଷରୁ ଭାରତର ୫୦ରୁ ଅଧିକ କେନ୍ଦ୍ରରେ ୨୮ ହଜାର ଲୋକଙ୍କ ଉପରେ କ୍ଲିନିକାଲ ପରୀକ୍ଷଣ କରିଛି । ପରୀକ୍ଷଣ ପରେ ପ୍ରସ୍ତୁତ କରାଯାଇଥିବା ଅନ୍ତରୀଣ ଡାଟାରେ ଏହା ସୁରକ୍ଷିତ ଓ କରୋନା ପ୍ରତିରୋଧକାରୀ ବୋଲି କୁହାଯାଇଛି ।

ଡାଟା ମୁତାବକ ଜବକୋଭି-ଡି ୧୨ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ସୁରକ୍ଷିତ । କମ୍ପାନୀ ପକ୍ଷରୁ ପ୍ରତିବର୍ଷ ୧୨ କୋଟି ଟିକା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି । ଯଦି ଏହି ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳୁଛି ତେବେ ଏହା ବିଶ୍ୱର ପ୍ରଥମ ଡିଏନଏ ଆଧାରିତ ଟିକା ଓ ଭାରତରେ ୫ମ ଟିକା ଭାବେ ଲୋକମାନଙ୍କ ଠାରେ ବ୍ୟବହାର ହେବ । ଜାଇଡସ ପକ୍ଷରୁ କୁହାଯାଇଛି କି କୋଭିଡର ନୂଆ ସ୍ୱରୂପ ଉପରେ ଏହା ବେସ୍ ପ୍ରଭାବଶାଳୀ ରହିବ । କୋଭାକ୍ସିନ ପରେ ଜାଇକୋଭି-ଡି ଭାରତରେ ଦ୍ୱିତୀୟ ବିକଶିତ ଟିକା । ଜାଇକୋଭି-ଡି ଟିକା ଲୋକଙ୍କ ଠାରେ ୩ ଟି ପର୍ଯ୍ୟାୟରେ ଦିଆଯିବ   । ଏହି ଟିକାର ପ୍ରଥମ ଖୋରାକ ନେବାର ୨୮ ଦିନ ପରେ ଦ୍ୱିତୀୟ ଓ ୫୬ ଦିନ ପରେ ତୃତୀୟ ଖୋରାକ ନେବାକୁ ହେବ ।

ଡିସିଜିଆଇ ୨୦୨୦ ଜୁଲାଇମାସରେ ଜଇଡସ କାଡିଲାର ଟିକାକୁ ମାନବ ପରୀକ୍ଷଣ ପାଇଁ ଅନୁମତି ଦେଇଥିଲା । ସେହି ସମୟରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା କି ଜାଇକୋଭି-ଡି ୨୦୨୧ ଜୁନ ମାସ ସୁଦ୍ଧା ବଜାରରେ ଉପଲବ୍ଧ ହେବ ।