ପାଖାପାଖି ୬ ଘଣ୍ଟା ଡାଉନ ରହିଲା ଫେସବୁକ, ଜୁକରବର୍ଗଙ୍କ କ୍ଷତି ୫୨ ହଜାର କୋଟି ଟଙ୍କା ଟପିଲା ।

1,560

କନକ ବ୍ୟୁରୋ : ସୋମବାର ରାତିରେ ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଡାଉନ ହେବା ଫଳରେ ମାର୍କ ଜୁକରବର୍ଗଙ୍କୁ ବଡ କ୍ଷତି ସହିବାକୁ ପଡିଛି । ମାତ୍ର କିଛି ଘଣ୍ଟା ଏହି ସୋସିଆଲ ସାଇଟ ଡାଉନ ହେବା ଫଳରେ ଜୁକରବର୍ଗ ବ୍ୟକ୍ତିଗତ ଭାବେ ଅନେକ କ୍ଷତି ସହିଛନ୍ତି । ଏପରିକି ତାଙ୍କର ସମ୍ପତ୍ତି ମାତ୍ର କେଇ ଘଣ୍ଟାରେ ହଜାର ହଜାର କୋଟି ଟଙ୍କା ତଳକୁ ଖସିଛି । ମାତ୍ର ୫ରୁ ୬ ଘଣ୍ଟା ମଧ୍ୟରେ ଜୁକରବର୍ଗ ୫୨ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି । ଆଉ ଏଭଳି କ୍ଷତି ତାଙ୍କୁ ବିଶ୍ୱର ଧନୀ ତାଲିକାରୁ ମଧ୍ୟ ଗୋଟିଏ ସ୍ଥାନ ତଳକୁ ଠେଲିଦେଇଛି । ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଡାଉନ ରହିବା ଫଳରେ ପ୍ରତି ଘଣ୍ଟାକୁ ୮୭୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି ଜୁକରବର୍ଗ ।

ସୋମବାର ଭାରତୀୟ ସମୟ ଅନୁଯାୟୀ ପ୍ରାୟ ରାତି ୯ଟାରୁ ୧୦ଟା ଭିତରେ ପୂରା ବିଶ୍ୱରେ ଫେସବୁକ ଡାଉନ ରହିଥିଲା । ଏହାଛଡା ଇନଷ୍ଟାଗ୍ରାମ ଓ ହ୍ୱାଟସଆପ ମଧ୍ୟ ଘଣ୍ଟା ଘଣ୍ଟା ଧରି ଚାଲିନଥିଲା । ନା ମେସେଜ ଯାଉଥିଲା, ନା ଫେସବୁକରେ କୌଣସି ନୂଆ ପୋଷ୍ଟ ଦେଖିବାକୁ ମିଳୁଥିଲା । ଲୋକେ ଇଣ୍ଟରନେଟ ସମସ୍ୟା ଭାବି ଅନେକଥର ଫୋନରୁ ସିମ୍ କାଢିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ପରେ ଏହି ୩ ସାଇଟ ଡାଉନ ଥିବା ଜାଣିବାକୁ ମିଳିଥିଲା । ଆଉ ଏଭଳି ସମସ୍ୟା ଜୁକରବର୍ଗଙ୍କ ସମ୍ପତ୍ତି ଉପରେ ବଡ ଧରଣର ପ୍ରଭାବ ପକାଇଛି ।

ଏକାସଙ୍ଗରେ ୩ଟି ସୋସିଆଲ ସାଇଟ ଡାଉନ ହେବା ଫଳରେ ସେୟାର ବଜାରରେ ଫେସବୁକ ସେୟାରର ମୂଲ୍ୟ ମଧ୍ୟ ହ୍ରାସ ପାଇଥିଲା । ଏପରିକି ମାତ୍ର କେଇ ଘଣ୍ଟାରେ ଫେସବୁକର ସେୟାର ୫ ପ୍ରତିଶତ ଯାଏଁ କମିଗଲା । ଯେଉଁଥିପାଇଁ ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ହ୍ରାସ ପାଇ ୧୨୦.୦ ଆରବ ଡଲାରରେ ପହଞ୍ଚିଥିବା ବେଳେ ଧନୀ ତାଲିକାରେ ସେ ୫ମ ସ୍ଥାନକୁ ଖସିଆସିଛନ୍ତି ।ଫେସବୁକ ଡାଉନ ହେବା ପୂର୍ବରୁ ଧନୀ ତାଲିକାର ୪ର୍ଥ ସ୍ଥାନରେ ଥିଲେ ଜୁକରବର୍ଗ ।
ବେଶ କିଛି ଘଣ୍ଟା ଏହି ୩ଟି ସୋସିଆଲ ସାଇଟ ଡାଉନ ହେବା ପରେ ଭାରତୀୟ ସମୟ ପାହାନ୍ତିଆ ପ୍ରହରରେ ଏହି ସେବା କାମ କରିଥିଲା । ତେବେ କେଉଁ କାରଣରୁ ଏହି ସୋସିଆଲ ସାଇଟ ଡାଉନ ରହିଥିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ କମ୍ପାନି ପକ୍ଷରୁ ସମସ୍ତ ସମସ୍ୟାର ସମାଧାନ କରାଯାଉଛି ବୋଲି କୁହାଯାଇଛି । ଏପରିକି ଫେସବୁକର ସିଇଓ ମାର୍କ ଜୁକରବର୍ଗ କହିଛନ୍ତି,. ଏଭଳି ବ୍ୟାଘାତ ପାଇଁ ଆମେ ଦୁଃଖିତ । କିନ୍ତୁ ଏବେ ସମସ୍ତ ସେବା ପୁଣିଥରେ ଚାଲୁ ହୋଇଛି ।