କନକ ବ୍ୟୁରୋ : ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାର ରହସ୍ୟ ବଢିବାରେ ଲାଗିଛି । ଧର୍ମେନ୍ଦ୍ର ସାହୁଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ କମିସନରେଟ ପୁଲିସ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ ପୂର୍ବରୁ ତାଙ୍କର ମୃତ୍ୟୁ ହେଲେ କେଉଁମାନେ ଦାୟୀ ରହିବେ ସେନେଇ ଧର୍ମେନ୍ଦ୍ର ଜଣ ଜଣ କରି ୫ ଜଣଙ୍କ ନାଁ କହିଛନ୍ତି । ଫୋନରେ ସେ ସ୍ଥାନୀୟ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କହିଥିଲେ ଧର୍ମେନ୍ଦ୍ର ସାହୁ ।

Advertisment

ତେଣୁ ପୁଲିସ ଗତକାଲି ସାମ୍ବାଦିକ ଅକ୍ଷୟ ନାୟକଙ୍କ ନିମାପଡା ସ୍ଥିତ ଘରେ ପହଞ୍ଚିଛି । ଆଜି ଧଉଳି ଥାନାରେ ଦିନ ୧୧ଟାରେ ହାଜର ହେବାକୁ ନୋଟିସ ଦେଇଛି କମିସନରେଟ ପୁଲିସ । ଏହି ଆତ୍ମହତ୍ୟା ମାମଲାରେ ପୋଲିସ ତଦନ୍ତରେ ଅବହେଳା କରୁଥିବା ଅଭିଯୋଗ ଆଣି ଗତକାଲି ଡିସିପି ଅଫିସ ଘେରିଥିଲା ବିଜେପି । ଆଉ ଡିସିପିଙ୍କୁ ଭେଟି ଧର୍ମେନ୍ଦ୍ର ସାହୁଙ୍କ ଭାଇରାଲ ଅଡିଓ କଲ ବାବଦରେ ଅବଗତ କରାଇଥିଲା । ଯଦି ତଦନ୍ତ ଠିକ୍ ଭାବେ ନହେବ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ବିଜେପି କହିଛି ।

ଭାଇରାଲ ହୋଇଥିବା ଅଡିଓ କଲରେ ଧର୍ମେନ୍ଦ୍ର ଅନେକ ବ୍ୟକ୍ତିଙ୍କ ନାଁ ନେଇଛନ୍ତି । ଯେଉଁଥିରେ ବିଜେଡି ନେତା ତଥା ମନ୍ତ୍ରୀ ସମୀର ଦାଶଙ୍କ ନାମ ମଧ୍ୟ ରହିଛି । ହେଲେ ପୋଲିସ କାହିଁକି ମନ୍ତ୍ରୀ ଏବଂ ଅନ୍ୟମାନଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ବୋଲି ବିଜେପି ପ୍ରଶ୍ନ କରିଛି । ସେପଟ ମନ୍ତ୍ରୀ କହିଛନ୍ତି, ମୃତକଙ୍କ ପରିବାର ଲୋକେ ସିଧାସଳଖ କୌଣସି ଅଭିଯୋଗ ଆଣିନାହାନ୍ତି । ତେଣୁ ଏ ସଂପର୍କରେ ସେ କୌଣସି ପ୍ରତିକ୍ରିୟା ରଖିବେ ନାହିଁ ବୋଲି କହିଛନ୍ତି ।