ପ୍ରକାଶ ପାଇଲା ଏସିଆ ମହାଦେଶର ସବୁଠାରୁ ୧୦ ଧନୀ ବ୍ୟକ୍ତିଙ୍କ ତାଲିକା । ମୁକେଶ ଅମ୍ବାନୀ ଓ ଚୀନ୍ ର ଜାକ୍ ମାଙ୍କୁ ମାତ୍ ଦେଇ ଚୀନର ଜୋଙ୍ଗ ସାନସହାନ୍ ହେଲେ ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ।

356

କନକ ବ୍ୟୁରୋ : ଭାରତର ମୁକେଶ ଅମ୍ବାନୀ ଏବଂ ଚୀନ୍‌ର ଜାକ୍‌ ମାଙ୍କୁ ଟପି ସମ୍ପ୍ରତି ଚୀନ୍‌ର ଜୋଙ୍ଗ୍‌ ସାନ୍‌ସ୍‌ହାନ୍‌ ଏସିଆ ମହାଦେଶର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ହୋଇଛନ୍ତି। ଏବର୍ଷ ଜୋଙ୍ଗଙ୍କୁ ସମୁଦାୟ ସମ୍ପତ୍ତି ୭୦.୯ ବିଲିୟନ୍‌ ଡଲାର୍‌ ବୃଦ୍ଧି ପାଇ ୭୭.୮ ବିଲିୟନ୍‌ ଡଲାର୍‌ରେ ପହଞ୍ଚି ତାଙ୍କୁ ବିଶ୍ୱର ୧୧ଶ ବିତ୍ତଶାଳୀ ବ୍ୟକ୍ତିରେ ପରିଣତ କରିଥିବା କଥା ‘ବ୍ଲୁମ୍‌ବର୍ଗ ବିଲିଓନେୟର୍ସ ଇଣ୍ଡେକ୍ସ୍‍’ରୁ ଜଣାପଡ଼ିଛି। ଜଣେ ଏତେ ଶୀଘ୍ର ଏତେ ଗୁଡ଼ାଏ ସମ୍ପତ୍ତି ଅର୍ଜନ କରିବାରେ ଏହା ଇତିହାସରେ ପ୍ରଥମ ଘଟଣା ବୋଲି ହାଯାଉଛି। ଉଲ୍ଲେଖନୀୟ କଥା ହେଉଛି ଚୀନ୍‌ ବାହାରେ ଏବର୍ଷ ପର୍ୟ୍ୟନ୍ତ ତାଙ୍କୁ କେହି ଚିହ୍ନି ନ ଥିଲେ। ୬୬ ବର୍ଷିୟ ଜୋଙ୍ଗ୍‌ ରାଜନୀତିରେ ସମ୍ପୃକ୍ତ ନୁହନ୍ତି। ତାଙ୍କ ବ୍ୟବସାୟର ମଧ୍ୟ ଅନ୍ୟ ଧନିକ ପରିବାରବର୍ଗଙ୍କ ସହ କୌଣସି ସମ୍ପୃକ୍ତି ନାହିଁ। ଦୁଇଟି ବ୍ୟବସାୟରୁ ସେ ଏହି ସଫଳତା ହାସଲ କରିଛନ୍ତି। ପ୍ରଥମଟି ହେଲା ଗତ ଏପ୍ରିଲ୍‌ ମାସରେ ସେ ଟିକା ନିର୍ମାତା ‘ବେଜିଙ୍ଗ୍‌ ଓ୍ଵାନ୍‌ତାଇ ବାୟୋଲୋଜିକାଲ୍‌ ଏଣ୍ଟର୍‌ପ୍ରାଇଜ୍‌ କୋ.’କୁ ହାତକୁ ନେଇଥିଲେ। ଦ୍ୱିତୀୟଟି ତା’ର କିଛି ମାସ ପରେ ପାଣି ବୋତଲ ନିର୍ମାତା କମ୍ପାନି ‘ନୋଙ୍ଗ୍‌ଫୁ ସ୍ପ୍ରିଙ୍ଗ୍‌’କୁ ନିଜ ମାଲିକାନାକୁ ନେବା ପରେ ତାହା ହଙ୍ଗ୍‌କଙ୍ଗ୍‌ରେ ଚହଳ ପକାଇବା ସହ ବିକ୍ରି ଖୁବ୍‌ ବଢ଼ିଯାଇଥିଲା। ସେ ଏହି ଦୁଇଟି ବ୍ୟବସାୟ ଚାଲୁ କରିବାକ୍ଷଣି ‘ନୋଙ୍ଗ୍‌ଫୁ’ର ସେୟାର୍‌ ୧୫୫% ଏବଂ ‘ଓ୍ଵାନ୍‌ତାଇ’ର ସେୟାର୍‌ ୨୦୦୦% ରୁ ଅଧିକ ବୃଦ୍ଧିପାଇଥିଲା। ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଏବର୍ଷ ଅମ୍ବାନୀଙ୍କ ସମ୍ପତ୍ତି ମଧ୍ୟ ୧୮.୩ ବିଲିୟନ୍‌ ଡଲାଇ ବୃଦ୍ଧି ପାଇ ୭୬.୯ ବିଲିୟନ୍‌ ଡଲାରରେ ପହଞ୍ଚିଛି।