ଜମାଟୋରେ ଭାଷା ବିବାଦ, ଗ୍ରାହକ କହିଲେ ଯେଉଁଠି ସେବା ଦେବ ସେଠିକାର ଭାଷା ଜାଣିବା ନିହାତି ଆବଶ୍ୟକ

110

କନକ ବ୍ୟୁରୋ : ଫୁଡ ଡେଲିଭରୀ କମ୍ପାନୀ ଜମାଟୋ ପୁଣିଥରେ ବିବାଦ ଘେରରେ ଛନ୍ଦି ହୋଇଯାଇଛି । ଏଥର ମାମଲା ହିନ୍ଦୀ ଭାଷାକୁ ନେଇ ଦେଖାଦେଇଛି । ଚେନ୍ନାଇର ଜଣେ ଗ୍ରାହକ ଅଭିଯୋଗ କରିଛନ୍ତି ଯେ କମ୍ପାନୀର ଜଣେ କର୍ମଚାରୀ ହିନ୍ଦୀ ଭାଷାକୁ ନେଇ ତାଙ୍କ ସହିତ ଯୁକ୍ତି କରିଥିଲେ । ଗ୍ରାହକ ଜଣଙ୍କ ଯୁକ୍ତିତର୍କର ଚାଟ୍ କୁ ସ୍କ୍ରିନସର୍ଟ ମାରି ଟ୍ୱିଟ୍ କରିଛନ୍ତି । ଏହାପରେ ଜମାଟୋ ତରଫରୁ କ୍ଷମା ପ୍ରାଥନା କରାଯାଇଛି ।

ମୁଖ୍ୟତଃ ବିକାଶ ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ଜମାଟୋ କର୍ମଚାରୀଙ୍କ ସହ ହୋଇଥିବା ଯୁକ୍ତିତର୍କର ଚାଟକୁ ସ୍କ୍ରିନସର୍ଟ ମାରି ଟ୍ୱିଟ୍ କରିଛନ୍ତି । ବିକାଶ କହିଛନ୍ତି କି ସେ ତାଙ୍କର ଅର୍ଡର ରିସିଭ୍ କରିବାକୁ ନେଇ କିଛି ଅସୁବିଧାରେ ପଡିଥିଲେ । ଏନେଇ ସେ ଜମାଟୋର କର୍ମଚାରୀଙ୍କୁ ରେଷ୍ଟୁରାଣ୍ଟ ସହ ଯୋଗା ଯୋଗ କରିବାକୁ ଅନୁରୋଧ କରିଥିଲେ । ଏହାକୁ ନେଇ ବିକାଶ କହିଥିଲେ କି ସେ ଏନେଇ ୫ ଥର ରେଷ୍ଟୁରାଣ୍ଟ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛନ୍ତି ହେଲେ ଭାଷା କାରଣରୁ ସେମାନଙ୍କ ସହ ସେ କଥା ହୋଇପାରୁ ନାହାଁନ୍ତି ।

ଏନେଇ ବିକାଶ କହିଛନ୍ତି ଯେ ଯଦି ଜମାଟୋ ତାମିଲନାଡୁରେ ସେବା ଦେଉଛି ତେବେ ତାଙ୍କୁ ଭାଷା ବୁଝିବା ପାଇଁ ଜଣେ ତାମିଲ ଭାଷୀ ଲୋକଙ୍କୁ କାମରେ ରଖିବାର ଆବଶ୍ୟକତା ରହିଛି । ଏନେଇ ବିକାଶ ତାଙ୍କ ଟଙ୍କା ଫେରସ୍ତ କରିବାକୁ କର୍ମଚାରୀଙ୍କୁ କହିଥିଲେ । ଜବାବରେ କର୍ମଚାରୀ ଜଣଙ୍କ କହିଥିଲେ କି ହିନ୍ଦୀ ଆମର ରାଷ୍ଟ୍ରଭାଷା ହୋଇଥିବାରୁ ସମସ୍ତଙ୍କୁ ଅଳ୍ପ ବହୁତ ହିନ୍ଦୀ ଜାଣିବାର ଆବଶ୍ୟକତା ରହିଛି । ଏହାସହ କର୍ମଚାରୀ ଜଣଙ୍କ ଟଙ୍କା ଫେରାଇବାକୁ ଅସମର୍ଥ ବୋଲି ସ୍ପଷ୍ଟ କରିଥିଲେ ।

ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜମାଟୋ ତରଫରୁ କ୍ଷମା ମଗାଯାଇଛି । ଜମାଟୋ ତରଫରୁ କୁହାଯାଇଛି କି ସେ ତାଙ୍କର କର୍ମଚାରୀଙ୍କ ବ୍ୟବହାର ପାଇଁ ଦୁଖିତ ।
ଅନ୍ୟପଟେ ଏହି ମାମଲାରେ ଡିଏମକେ ସାଂସଦ ସନ୍ଥିଲ କୁମାର ବିକାଶଙ୍କ ଟ୍ୱିଟ୍ ସେୟାର କରି ଜମାଟୋକୁ ଜବାବ ମାଗିଛନ୍ି । ସେ କହିଛନ୍ତି କି ହିନ୍ଦୀ କେବେ ଠାରୁ ରାଷ୍ଟ୍ର ଭାଷା ହେଲା, ତାମିଲନାଡୁ ଗ୍ରାହକମାନେ କାହିଁକି ହିନ୍ଦୀ ଜାଣିବେ ବୋଲି ସେ ଜମାଟୋକୁ ପ୍ରଶ୍ନ ପଚାରିଛନ୍ତି ।