କନକ ବ୍ୟୁରୋ: ଅନେକ ଆଇଟି ଇଞ୍ଜିନିୟରଙ୍କ ସ୍ୱପ୍ନ ଥାଏ କୌଣସି ବିଦେଶ କମ୍ପାନୀରେ ଭଲ ଚାକିରିଟିଏ କରିବାକୁ । ଭଲ ସାଲାରୀରେ ଜୀବନ ବିତାଇବାକୁ । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଦରମାରେ ସନ୍ତୁଷ୍ଟ ନଥାନ୍ତି । ନିଜ ଦେଶ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଟାଣି ଆଣେ ନିଜ ମାଟିକୁ । ଆମେ ଆଜି ଆପଣଙ୍କୁ ସେମିତି ଜଣେ ବ୍ୟକ୍ତିଙ୍କ ସଫଳତାର କାହାଣୀ ଶୁଣାଇବୁ ଯିଏ ଆମେରିକାରେ ଚାକିରି ଛାଡି ଗାଁରେ ହଜାର ହଜାର କୋଟି ଟଙ୍କାର ଏକ କମ୍ପାନୀ ଛିଡା କରିଦେଲେ ।

Advertisment

ଆମେ କହୁଛୁ ଜୋହୋର ଫାଉଣ୍ଡର ଶ୍ରୀଧର ବେମ୍ବୁଙ୍କ କଥା । ଯିଏ ଜଣେ ସାଧାରଣ କର୍ମଚାରୀରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ବିନା ଫଣ୍ଡିଂର ସହାୟତାରେ ୩୯ ହଜାର କୋଟି ଟଙ୍କାର କମ୍ପାନୀ ଛିଡା କରିଦେଲେ । ତାମିଲନାଡୁର ଶ୍ରୀଧର ବେମ୍ବୁ ଜଣେ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ନିଜ ପ୍ରାଥମିକ ଶିକ୍ଷା ତାମିଲ ଭାଷାରେ ପୂରା କରିଥିଲେ । ଆଇଆଇଟି ମାଦ୍ରାସରୁ ୧୯୮୯ ମସିହାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରି ପଏଚଡି ପାଇଁ ଆମେରିକା ଚାଲିଯାଇଥିଲେ ।

ଆମେରିକାରେ ରହି ପାଠପଢିବା ପରେ ସେଠାରେ ଚାକିରି ବି ପାଇଥିଲେ । ହେଲେ ପରେ ସେଠାରୁ ଚାକିରି ଛାଡି ଗାଁକୁ ଚାଲିଆସିଥିଲେ । ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସେ ଗାଁରେ ନିଜ ମାଟିରେ ରହି ବିଜନେସ ଆରମ୍ଭ କରିବାକୁ ଚାହୁଁଥିଲେ ତେଣୁ ସେ ଲୋକମାନଙ୍କର ନଶୁଣି ନିଜ ମନ କଥାକୁ ଶୁଣିଥିଲେ । ୧୯୯୬ ମସିହାରେ ନିଜ ଭାଇଙ୍କ ସହ ମିଶି ସେ ସଫ୍ଟୱେୟାର ଡେଭଲପମେଣ୍ଟ ଫର୍ମ ଆରମ୍ଭ କରିଥିଲେ । ୨୦୦୯ ମସିହାରେ ଏହି କମ୍ପାନୀର ନାଁ ବଦଳାଇକି ଜୋହୋ କର୍ପୋରେସନ ରଖିଥିଲେ । ଏହି କମ୍ପାନୀ ସଫ୍ଟୱେୟାର ସଲ୍ୟୁସନ ସର୍ଭିସ ପ୍ରଦାନ କରିଥିଲା ।

ସବୁଠାରୁ ବଡ କଥା ହେଉଛି ନିଜ ବିଜନେସକୁ ଆରମ୍ଭ କରିବା ପାଇଁ ଶ୍ରୀଧର ବେମ୍ବୁ କୌଣସି ବଡ ସହର କିମ୍ବା ମହାନଗରକୁ ବାଛି ନଥିଲେ ବରଂ ତାମିଲନାଡୁର ତେନକାସି ଜିଲ୍ଲାରେ ନିଜ କମ୍ପାନୀ ଆରମ୍ଭ କରିଥିଲେ । ଏହା ପଛରେ ତାଙ୍କର ଆଉ ଲକ୍ଷ୍ୟ ମଧ୍ୟ ରହିଥିଲା, ସେ ଚାହୁଁଥିଲେ ଗ୍ରାମୀଣ ଅଞ୍ଚଳରେ ସଫ୍ଟୱେୟାର ଡେଭଲପମେଣ୍ଟ ବିଜନେସର ବିସ୍ତାର ହେଉ । ଶ୍ରୀଧର ବେମ୍ବୁ ଚାହୁଁଥିଲେ ଗାଁରେ ରହୁଥିବା ପ୍ରତିଭାବାନ ଲୋକ ଆଇଟି ସେକ୍ଟରରେ କାମ କରନ୍ତୁ ।

ଶ୍ରୀଧର ବେମ୍ବୁ ଜୋହୋର କୋ-ଫାଉଣ୍ଡର ସହ ସିଇଓ ଅଛନ୍ତି । ରିପୋର୍ଟ ଅନୁସାରେ ଏହି କମ୍ପାନୀର ରେଭେନ୍ୟୁ ୩୯ ହଜାର କୋଟି ଟଙ୍କା । ଏତେ ବଡ ସଫଳତା ହାସଲ କରିବା ପରେ ବି ସେ ନିଜ ସାଧାରଣ ଜୀବନଯାପନ ଶୈଳୀକୁ ଛାଡିନାହାନ୍ତି । ହଜାର ହଜାର କୋଟି ଟଙ୍କାର ବ୍ୟବସାୟୀ ହୋଇ ମଧ୍ୟ ସେ ସାଇକେଲ ଚଲାଉଥିବାର ନଜର ଆସିଥାନ୍ତି । ଏତେ ବଡ ଲୋକଙ୍କ ସାଧାରଣ ଜୀବନ ଶୈଳୀ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।