ଚେନ୍ନାଇର ବିଜୟ ପାଇଁ ପ୍ରାର୍ଥନା କଲେ ଜିଭା । ଫ୍ୟାନ୍ସ କହିଲେ, ଆଇପିଏଲ ୨୦୨୧ର ସବୁଠୁ ସୁନ୍ଦର ମୁହୂର୍ତ୍ତ …

127

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ‘ଜିଭା’ଙ୍କୁ ସବୁବେଳେ କିଛି ନା କିଛି କାରଣରୁ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥାଏ । ଆଉ ଏବେ ଜିଭାଙ୍କ ଗୋଟିଏ ଫଟୋ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଚେନ୍ନାଇ-ଦିଲ୍ଲୀ ମ୍ୟାଚ୍ ସମୟର ଏହି ଫଟୋକୁ ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ସେୟାର କରିବାରେ ଲାଗିଛନ୍ତି । ଯେଉଁ ଥିରେ ଜିଭା ଚେନ୍ନାଇର ଜିତ୍ ପାଇଁ ପ୍ରାର୍ଥନା କରୁଛନ୍ତି ।

ସୋମବାର ଆଇପିଏଲର ୫୦ ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ ବେଶ ରୋମାଞ୍ଚକର ହୋଇଥିଲା । ଶେଷ ୩ ଓଭରରେ ଦିଲ୍ଲୀକୁ ବିଜୟ ପାଇଁ ୨୮ ରନ୍ ଦରକାର ହେଉଥିବାବେଳେ ହାତରେ ଥିଲା କେବଳ ୪ଟି ୱିକେଟ୍ । ଏହି ସମୟରେ କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ଜିଭାଙ୍କ ଏହି ଫଟୋ । ଯେଉଁଥିରେ ସେ ଦୁଇ ହାତ ଯୋଡି, ଆଖି ବନ୍ଦ କରି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା ।

ଏହି ମ୍ୟାଚ୍ କିନ୍ତୁ ଚେନ୍ନାଇ ହାରିଯାଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ଏହି ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଥିଲା । ହେଲେ ଫ୍ୟାନ୍ସମାନେ ଜିଭାଙ୍କ ଏହି ଫଟୋକୁ ଭୁଲି ନଥିଲେ । ସୋସିଆଲ୍ ମିଡିଆରେ ଜିଭାଙ୍କ ଏହି ଫଟୋ ଭାଇରାଲ୍ ହେବାରେ ଲାଗିଥିଲା । କେତେକ ପ୍ରଶଂସକ ଏହାକୁ ଚଳିତ ଆଇପିଏଲର ସବୁଠୁ ସୁନ୍ଦର ମୁହୂର୍ତ୍ତ ବୋଲି କହିଥିଲେ ।