ଜିଲ୍ଲା ପରିଷଦ ସଂରକ୍ଷଣ ଚିଠା ତାଲିକାକୁ ନେଇ ଦ୍ୱନ୍ଦ । ବିରୋଧୀ କହିଲେ ନିର୍ବାଚନ ରୋକିବାକୁ ଜାଣିଶୁଣି କରାଯାଇଛି ଚାଲ୍ ।

105

କନକ ବ୍ୟୁରୋ : ଜିଲ୍ଲାପରିଷଦ ନିର୍ବାଚନ ପାଇଁ ସଂରକ୍ଷଣ ଚିଠା ତାଲିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଲିକାରେ ତ୍ରୁଟି ଥିବା ନେଇ ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଅଭିଯୋଗ । କେଉଁଠି ୯୦ ପ୍ରତିଶତ ଅନୁସୂଚିତ ଜନଜାତିର ଲୋକ ରହୁଥିଲେ ବି ସେମାନଙ୍କ ପାଇଁ ସଂରକ୍ଷଣ କରାଯାଇନଥିବାବେଳେ ଯେଉଁଠି ସେହି ବର୍ଗର ଲୋକ ନାହାନ୍ତି, ସେମାନଙ୍କ ପାଇଁ ସଂରକ୍ଷଣ କରାଯାଇଛି ।

ଗଜପତି ଜିଲ୍ଲାର ଜିଲ୍ଳାପରିଷଦ ଅଧ୍ୟକ୍ଷ ପଦ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । କିନ୍ତୁ ପ୍ରକାଶ ପାଇଥିବା ସଂରକ୍ଷଣ ଚିଠା ତାଲିକାରେ ଜିଲ୍ଲାରେ ଥିବା ୧୪ଟି ଜୋନରୁ ଗୋଟିଏ ବି ଜୋନକୁ ପଛୁଆବର୍ଗ ପାଇଁ ସଂରକ୍ଷିତ ରଖାଯାଇନାହିଁ । ଯାହା ଏବେ ସଂରକ୍ଷଣ ଚିଠା ତାଲିକାରେ ଥିବା ତ୍ରୁଟିକୁ ପଦାରେ ପକାଇଛି । ଏହା କେମିତି ସମ୍ଭବ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ । ଏବଂ ତ୍ରୁଟିର ସମାଧାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ।

କେବଳ ଗଜପତିରୁ ନୁହେଁ ସମାନ ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକରୁ । ଏହି ବ୍ଲକ ଜନସଂଖ୍ୟାର ୯୦ ପ୍ରତିଶତ ଲୋକ ଏସଟି କାଟାଗୋରୀର ହୋଇଥିଲେ ମଧ୍ୟ, ୩ଟି ଜିଲ୍ଲାପରିଷଦ ଆସନରୁ ସେମାନଙ୍କ ପାଇଁ ଗୋଟିଏ ବି ସଂରକ୍ଷିତ କରାନଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସଂରକ୍ଷଣ ତାଲିକାରେ ତ୍ରୁଟି । ସରକାରଙ୍କୁ ଘେରିଲେ ବିରୋଧୀ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚିଠା ତାଲିକାରେ ଥିବା ତ୍ରୁଟିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି କହିଛି, ସଂରକ୍ଷଣ ତାଲିକାରେ ତ୍ରୁଟି ରହିଛି । ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ସରକାର କହିଥିଲେ ବି ଚିଠା ତାଲିକାରେ ବହୁ କମ୍ ରହିଛି । ସେହିପରି କଂଗ୍ରେସ କହିଛି, ବିଜେଡି କିପରି ଜିତିବ ସେ ନେଇ ବ୍ୟବସ୍ଥା କରାଯାଇଛି । ଆଲୋଚନା କରାଯାଇ ଜନସଂଖ୍ୟା ଆଧାରରେ କରାଯାଇଥିଲେ ସମସ୍ୟା ହୋଇନଥାନ୍ତା । ବିରୋଧୀ ଅଭିଯୋଗ ଆଣିବା ପରେ ବିଜେଡି କହିଛି ସଂଶୋଧନ ପାଇଁ ବ୍ୟବସ୍ଥା ରହିଛି ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ୩୦ଟି ଜିଲ୍ଲା ମଧ୍ୟରୁ ୪ଟି ପଛୁଆ ବର୍ଗ ଏବଂ ୪ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ପାଇଁ ୧୦ଟି ଏବଂ ୧୨ଟି ଜିଲ୍ଲାକୁ ଅଣ ସଂରକ୍ଷିତ ବର୍ଗ ପାଇଁ ରଖାଯାଇଛି । ଅନୁଗୁଳ, କେନ୍ଦୁଝର, ଖୋର୍ଦ୍ଧା, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।