କନକ ବ୍ୟୁରୋ: ମାସେ ତଳେ ଆପଣ ଆଳୁ କିଲୋପିଛା ୪୦ ଟଙ୍କା ଦେଇ କିଣୁଥିଲେ । ରାଜ୍ୟର ଆଳୁ ଚାହିଦା ପୂରଣ କରିବାକୁ ସରକାରଙ୍କ ଆଳୁ ମିଶନ ଫେଲ ମାରିଥିବା ଅଭିଯୋଗ ହେଉଛି । ଏବେ ବି ଆମର ଆଳୁ ଆବଶ୍ୟକତା ପାଇଁ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡୁଛି । ହେଲେ ଏହାରି ଭିତରେ ଆଳୁ ଚାଷର ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ହଜାର ହଜାର ବେକାର ଯୁବକ, ଯୁବତୀଙ୍କ ଆଖି ଖୋଲିଦେବ । ବିନା ହଳରେ ବି କେମିତି କ୍ୱିଂଟାଲ କ୍ୱିଂଟାଲ ଆଳୁ ଅମଳ କରୁଛନ୍ତି ନିମାପଡା ରେସିଙ୍ଗା ଗାଁର ଯୁବ ଚାଷୀ ସଂଗ୍ରାମ କେଶରୀ ପାତ୍ର ।
କାନ ଉଠିଲା ଦିନରୁ କେହି କେବେ ଶୁଣି ନଥିବେ ‘ଜିରୋ ଟିଲ’ ପଦ୍ଧତି ଚାଷ ବିଷୟରେ । ‘ଜିରୋ ଟିଲ୍’ ପଦ୍ଧତି କ’ଣ? ଅର୍ଥ ହେଉଛି ବିନା ହଳରେ ଚାଷ । ଚାଷରେ ବିପୁଳ ପରିମାଣର ଅର୍ଥ ବ୍ୟୟ ଏବଂ ଅଯଥା ସମୟ ଅପଚୟକୁ ଗୁଡ଼ବାୟ କରି ପରିବେଶ ପ୍ରଦ୍ୟୁଷଣର ବାର୍ତ୍ତା ଦେବା ସହିତ ନୂଆ ପଦ୍ଧତିରେ ସୁଟବୁଟ ପିନ୍ଧି ଚାଷ କରି ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି ସଂଗ୍ରାମ । ଆର୍ନ୍ତଜାତୀକ ଆଳୁ ମିଶନ କେନ୍ଦ୍ର ଏବଂ ରାଜ୍ୟ ଉଦ୍ୟାନ ବିଭାଗର ବୈଜ୍ଞାନିକମାନଙ୍କ ପରାମର୍ଶରେ ୪ ଡିସିମିଲ ଜମିରେ ଆଜୁ ଚାଷ କରି ୩କ୍ୱିଣ୍ଟାଲ ୭୦ କେଜି ଆଳୁ ଅମଳ କରି ଉଦାହରଣ ସୃଷ୍ଟି କରିଛନ୍ତି ଏହି ଯୁବ ଚାଷୀ ଜଣକ । ତେବେ ପାରମ୍ପରିକ ଚାଷ ଯୋଗୁଁ ଚାଷୀ ବିପୁଳପରିମାଣ ଅର୍ଥ ବ୍ୟୟ କରିବା ସହିତ ଅଯଥା ସମୟ ଅପଚୟ କରି ଲାଭବାନ ହେବା ପରିବର୍ତ୍ତେ ହତାଶ ହୋଇପଡୁଥିଲା ବେଳେ ଏଭଳି ‘ଜିରୋ ଟିଲ’ ପଦ୍ଧତି ଚାଷ ହତାଷ ଚାଷୀ ମୁହଁରେ ହସ ଫୁଟାଇବାରେ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ଆଶା ସୃଷ୍ଟି ହୋଇଛି ।
ତେବେ ଅଦରକାରୀ ନଡ଼ା ବା କୁଟା ବିଲରେ ପୋଡି ନଷ୍ଟ କରିବା ବଦଳରେ ତାକୁ ବ୍ୟବହାର କରି ଚାଷ କରାଯାଇଥାଏ । ପ୍ରଥମେ ପଡ଼ିଆ ଜମି ବା ହଳ ହୋଇନଥିବା ଜମିରେ ଧାଡ଼ି ଧାଡ଼ି କରି ମାଟି ଉପରେ ଆଳୁ ବିହନ ରଖି ତାଉପରେ ଆବଶ୍ୟକ ପରିମାଣ ଖତ ଦିଆଯାଇଥାଏ । ଖତରେ ବୀହନକୁ ଘୋଡ଼ାଇ ଦେବା ପରେ ପରିବର୍ତ୍ତୀ ସମୟରେ ଜମିକୁ କୁଟା ବା ନଡ଼ା ଦ୍ୱାରା ଘୋଡ଼ାଇ ଦିଆଯାଇଥାଏ । କୁଟା ଘୋଡ଼ାଇବା ଦ୍ୱାରା ଜମି ଦୀର୍ଘ ଦିନ ଧରି ଓଦାଳିଆ ରହୁଥିବାରୁ ଜଳସେଚନର ଆବଶ୍ୟକ ପଡ଼ିନଥାଏ । କୁଟା ଦ୍ୱାରା ପଡ଼ିଆ ଜମିରେ ଅନାବନା ଘାସକୁ ନିୟନ୍ତ୍ରଣ କରାଯିବା ସହିତ ୫୦ ଦିନରେ ଆଳୁ ଅମଳ ହୋଇଥାଏ ।
‘ଜିରୋ ଟିଲ୍’ ପଦ୍ଧତିରେ ଚାଷ କରିବା ପାଇଁ ସଂଗ୍ରାମ ଠାରୁ ପ୍ରେରଣା ପାଇ ସ୍ଥାନୀୟ ଅଞ୍ଚଳର ଅନ୍ୟ ଚାଷୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ପାରମ୍ପରିକ ପଦ୍ଧତି ଚାଷଠାରୁ ବହୁ କମ ଖର୍ଚ୍ଚ ହେବା ସହିତ ବହୁ ସମୟ ମିଳୁଥିବାରୁ ଅନ୍ୟ ଚାଷୀମାନେ ଉତ୍ସାହିତ ହୋଇପଡ଼ିଛନ୍ତି । ତେବେ ଯୁବ ଚାଷୀ ସଂଗ୍ରାମଙ୍କ ଏଭଳି ଚାଷ ପଦ୍ଧତି ଆଜିର ଯୁବ ସମାଜକୁ ଆତ୍ମନିର୍ଭରଶୀଳ ହେବ ପାଇଁ ଆକୃଷ୍ଟ କରିବାରେ ବିଶେଷ ଭାବେ ସହାୟକ ହୋଇପାରିବ ।
Follow Us
/kanak/media/post_attachments/wp-content/uploads/2020/02/2-9.png)
/kanak/media/post_attachments/wp-content/uploads/2020/02/potato-farm-soil.jpg)
/kanak/media/post_attachments/wp-content/uploads/2020/02/3-8.png)