ଏମିତି ଏକ ଦିନ ! ଯେବେ ନିଜ ଛାଇ ନିଜେ ଦେଖିପାରିବନି ମଣିଷ , ଜାଣନ୍ତୁ ଓଡ଼ିଶାର କେବେ ଓ କେଉଁଠି ଦେଖିବାକୁ ମିଳିବ ଏଭଳି ବିରଳ ଦୃଶ୍ୟ

46

କନକ ବ୍ୟୁରୋ : ଆସନ୍ତା ମେ ୨୧ ଓ ୨୨ରେ ଯଥାକ୍ରମେ ଭୁବନେଶ୍ୱର ଓ କଟକରେ ଜିରୋ ସ୍ୟାଡ଼ୋ ଡ଼େ ଦେଖିବାକୁ ମିଳିବ । ଏହି ସମୟରେ ନିଜର ଛାଇ ମଧ୍ୟ ଦେଖାଯିବ ନାହିଁ । ଏହି ଦିନରେ ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ରହିବ ଓ ସେ ସମୟରେ କୌଣସି ଲମ୍ବା ଆକାରର ବସ୍ତୁର ବିଲକୁଲ ଛାଇ ଦେଖାଯିବ ନାହିଁ । ଭୁବନେଶ୍ୱରରେ ମେ ୨୧ ତାରିଖ ମଧ୍ୟାହ୍ନ ୧୧ଟା ୪୩ ମିନିଟରେ ଓ କଟକରେ ମେ ୨୨ରେ ୧୧ଟା ୪୩ ମିନିଟରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ଏହି ଦିନକୁ ଜ୍ୟୋତିର୍ବିଜ୍ଞାନୀ ମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡ଼ୋ ନାମରେ ନାମିତ କରିଛନ୍ତି ।

ଶୂନ୍ୟ ଛାୟା ଦିବସ କେବଳ ମକର କ୍ରାନ୍ତି ଓ କକର୍ଟ କ୍ରାନ୍ତି ଭିତରେ ରହଥିବା ଅଞ୍ଚଳରେ ଘଟିଥାଏ । ଏହି ଅଞ୍ଚଳ ବାହାରେ ଶୂନ୍ୟ ଛାୟା ସମ୍ଭବ ହୁଏ ନାହିଁ । ବର୍ଷକୁ କେବଳ ଦୁଇଥର ଏହି ଶୂନ୍ୟ ଛାୟା ଦିବସ ଦେଖିବାକୁ ମିଳିଥାଏ । ସୂର୍ଯ୍ୟ ଉତ୍ତରରୁ ଦକ୍ଷିଣ ଓ ଦକ୍ଷିଣରୁ ଉତ୍ତର ଦିଗରେ ଗତିକଲା ସମୟରେ ବିଭିନ୍ନ ଜାଗାରେ ବର୍ଷକୁ ଦୁଇଥର ଏହି ଶୂନ୍ୟ ଛାୟା ଦିବସ ଦେଖିବାକୁ ମିଳିଥାଏ ।

ଏହି ଶୂନ୍ୟ ଛାୟା ଦିବସକୁ ଦେଖିବା ପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକତା ନାହିଁ । ଏକ ସମତଳ ସ୍ଥାନରେ ଖୁଣ୍ଟ, ଚାରିକୋଣିଆ ବାକ୍ସ, ବୋତଲ ଭଳି କିଛି ଜିନିଷ ଖରା ପଡ଼ୁଥିବା ସ୍ଥାନରେ ଲମ୍ବା କରି ରଖନ୍ତୁ । ଏହି ବିରଳ ଶୂନ୍ୟ ଛାୟା ଆରମ୍ଭ ହେବା ମାତ୍ରେ ବସ୍ତୁର ଛାୟା ଧୀରେ ଧୀରେ ଉଭେଇଯିବ ଓ କିଛି ସମୟ ପରେ ପୁଣି ଥରେ ପୂର୍ବ ଅବସ୍ଥାକୁ ଫେରି ଆସିବ । ଭୁବନେଶ୍ୱରରେ ମେ ୨୧ ତାରିଖ ଦିନ ମଧ୍ୟାହ୍ନ ୧୧ଟାରୁ ୧୨ଟା ସମୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ ଠାରେ ଏହି ଶୂନ୍ୟ ଛାୟା ଦେଖିବାର ବ୍ୟବସ୍ଥା କରାଯିବ । ଏନେଇ ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ଼ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।