ପର କରିଦେଲା ଛାଇ! ଭୁବନେଶ୍ୱରରେ ଦିନ ୧୧ଟା ୪୩ରେ ଖରାରେ ଛିଡା ହେଲେ ବି ଦେଖାଗଲାନି ଛାଇ

80

କନକ ବ୍ୟୁରୋ : ଭୁବନେଶ୍ୱରରେ ଦେଖିବାକୁ ମିଳିଲା ଶୂନ୍ୟ ଛାୟା ଦିବସର ଝଲକ । ରାଜଧାନୀରେ ଦିନ ୧୧ଟା ୪୩ ମିନିଟରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ଅର୍ଥାତ ଏହି ସମୟରେ ଖରାରେ ଛିଡ଼ା ହୋଇଥିଲେ ମଧ୍ୟ ଛାଇ ଦେଖିବାକୁ ମିଳିନଥିଲା । ପଠାଣିସାମନ୍ତ ପ୍ଲାନେଟାରିୟମରେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ଲୋକେ ପଠାଣି ସାମନ୍ତ ପ୍ଲାନେଟାରିୟମରେ ପହଞ୍ଚି ଏହି ଦୃଶ୍ୟ ଦେଖିଥିଲେ । ତେବେ ଏହି ଶୂନ୍ୟ ଛାୟା ଦିବସ କଣ ପାଇଁ ହୁଏ । ଏହା ପଛରେ କାରଣ ହେଉଛି ସୂର୍ଯ୍ୟ ଓ ସେହି ସ୍ଥାନର ଅବସ୍ଥିତି । ଯେତେବେଳେ ସୂର୍ଯ୍ୟ କୌଣସି ସ୍ଥାନର ଅବସ୍ଥିତି ଅର୍ଥାତ ଅକ୍ଷାଂଶ ଓ ଦ୍ରାଘିମାରେ ଅବସ୍ଥାନ କରନ୍ତି, ସେତେବେଳେ ସେହି ସ୍ଥାନରେ ଛାଇ ଦୃଶ୍ୟମାନ ହୁଏ ନାହିଁ । ଏହାକୁ ଶୂନ୍ୟ ଛାୟା ଅବସ୍ଥା ବୋଲି କୁହାଯାଏ । ଏହି ଦିନକୁ ଶୂନ୍ୟ ଛାୟା ଦିବସ କୁହାଯାଏ ।

ସେହିପରି କଟକରେ ମେ ୨୨ ତାରିଖ ଦିନ ୧୧ଟା ୪୩ ମିନିଟରେ, ବଲାଙ୍ଗିରରେ ମେ ୨୩ ତାରିଖ ଦିନ ୧୧ଟା ୫୪ ମିନିଟ୍ ଓ ବାରିପଦାରେ ମେ ୩୧ ତାରିଖରେ ଦିନ ୧୧ଟା ୪୧ ମିନିଟରେ ଶୂନ୍ୟ ଛାୟା ଅବସ୍ଥା ରହିବ । ଅନ୍ୟ ସ୍ଥାନ ଗୁଡିକର ଶୂନ୍ୟ ଛାୟା ସମୟ ମଧ୍ୟ ଗଣନା କରିହେବ ।