ଆସନ୍ତାକାଲି ଭୁବନେଶ୍ବରରେ ଶୂନ୍ୟ ଛାୟା ଦିବସ : ପୂର୍ବାହ୍ନ ୧୧ଟା ୪୩ ମିନିଟରେ ଯେକୌଣସି ଲମ୍ବ ଆକାରର ବସ୍ତୁର ଛାଇ ଦୃଶ୍ୟମାନ ହେବ ନାହିଁ

629

କନକ ବ୍ୟୁରୋ : ଆସନ୍ତାକାଲି ଭୁବନେଶ୍ୱରରେ ହେବ ଶୂନ୍ୟ ଛାୟା ଦିବସ । ପୂର୍ବାହ୍ନ ୧୧ଟା ୪୩ ମିନିଟରେ ଭୁବନେଶ୍ୱରରେ ଯେକୌଣସି ଲମ୍ବ ଆକାରର ବସ୍ତୁର ଛାଇ ଦୃଶ୍ୟମାନ ହେବ ନାହିଁ । ପ୍ରାୟ ଦୁଇ ମିନିଟ ପର୍ଯ୍ୟନ୍ତ ଏହି ଶୂନ୍ୟ ଛାୟା ସମୟ ରହିବ । ୨୫ ରୁ ୩୦ ବର୍ଷ ପୂର୍ବେ ଭାରତରେ ଜ୍ୟୋତିର୍ବିଜ୍ଞାନିମାନେ ବିଧିବଦ୍ଧ ଭାବେ ଏହି ଶୂନ୍ୟ ଛାୟା ଦିବସ ଘୋଷଣା କରିଥିଲେ । ସେବେଠାରୁ ପ୍ରତିବର୍ଷ ମେ ୨୧ ତାରିଖ ୧୧ଟା ୪୩ରେ ଭୁବନେଶ୍ୱରରେ ଏହି ଶୂନ୍ୟ ଛାୟା ପ୍ରତୀୟମାନ ହେଉଛି ।

ଏହା ସହିତ ଓଡ଼ିଶାର ମାଲ୍‌କାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ଶୂନ୍ୟ ଛାୟା ଗତ ଦୁଇରୁ ତିନି ଦିନ ପୂର୍ବରୁ ପ୍ରତୀୟମାନ ହୋଇସାରିଥିବା ବେଳେ ଆସନ୍ତା ୨୨ରେ କଟକ, ୨୩ରେ ବଲାଙ୍ଗୀର, ୨୮ରେ ସମ୍ବଲପୁର ଓ ବୁର୍ଲା, ୩୧ରେ ବାରିପଦା ଏବଂ ଶେଷରେ ଅର୍ଥାତ୍ ଜୁନ୍‌ ୨ରେ ରାଉରକେଲାରେ ଏହି ଶୂନ୍ୟ ଛାୟା ଦେଖିବାକୁ ମିଳିବ।

କେମିତି ଦେଖିବେ ?

ଏହାକୁ ଦେଖିବା ପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକ ନାହିଁ । ଏକ ସମତଳ ଜାଗାରେ ଖୁଣ୍ଟି, ଚାରିକୋଣିଆ ବାକ୍ସ, ବୋତଲ, ଇଟା ଭଳି କିଛି ଜିନିଷ ଖରାରେ ପଡ଼ୁଥିବା ସ୍ଥାନରେ ଲମ୍ବ ଭାବରେ ରଖନ୍ତୁ ଓ ନିର୍ଦ୍ଧାରିତ ତାରିଖ ଦିନ ମଧ୍ୟାହ୍ନର କିଛି ସମୟ ପୂର୍ବରୁ ଲକ୍ଷ୍ୟ କରନ୍ତୁ କିପରି ବସ୍ତୁଟିର ଛାୟା ଧୀରେ ଧୀରେ ଛୋଟ ହୋଇ ଉଭେଇ ଯାଉଛି ଓ କିଛି ସମୟ ପରେ ପୁଣି ଦେଖାଯାଉଛି ।