କନକ ବ୍ୟୁରୋ : ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟ୍ ସେଲିବ୍ରେସନ ଉପରେ ନଜର । କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ନୂଆ ଗାଇଡ ଲାଇନ ଅନୁଯାୟୀ, ବାର୍ ଓ ହୋଟେଲ ଗୁଡ଼ିକ ରାତି ୧୨ ଟା ୩୦ ଯାଏ ଖୋଲା ରହିବ । ଆଉ ଅଧିକ ସମୟ ପାଇଁ ଖୋଲିବାକୁ ହେଲେ ସ୍ୱତନ୍ତ୍ର ଅନୁମତି ଦରକାର । ଗତକାଲି ହୋଟେଲ ଓ ବାର୍ ମାଲିକଙ୍କୁ ନେଇ ଏକ ବୈଠକ ବସିଥିଲା । ହୋଟେଲ ଓ ବାର୍ ଗୁଡ଼ିକରେ କିପରି ନୂଆ ବର୍ଷ ପାଳନ କରିବେ ଡିସିପିଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ ।
ଯେଉଁ ହୋଟେଲ୍ କିମ୍ବା ବାର୍ ମାଲିକମାନେ ୧ଟା ୩୦ ଯାଏ ଖୋଲିବାକୁ ଚାହିଁବ, ସେଥିପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ । ପାର୍କିଂ ପାଇଁ ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ପଡ଼ିବ । ଗ୍ରାହକ ଯେପରି ଅଧିକ ମଦ୍ୟପାନ ନକରନ୍ତି ସେଥିପ୍ରତି ବାର୍ ଓ ହୋଟେଲ କର୍ତୃପକ୍ଷ ଧ୍ୟାନ ଦେବେ ବୋଲି ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ସେହିପରି ରାଜଧାନୀକୁ ସୁରକ୍ଷା ଯୋଗାଇ ଦେବାକୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ଜଗିବେ ବୋଲି ସୂଚନା ରହିଛି । ମଦୁଆଙ୍କ ପାଇଁ ସ୍ପେଶାଲ ୫ଟିି ପିସିଆର ଭ୍ୟାନ ବୁଲିବ । ୩୧ ତାରିଖ ଅପରାହ୍ନରୁ ସମ୍ବେଦନଶୀଳ ଜାଗା ଓ ତାରକା ହୋଟେଲ ସମ୍ମୁଖରେ ପୋଲିସ ପଇଁତରା ମାରିବ ।