ଜୀ-ସାର୍ଥକ ଫିଲ୍ମସର ନୂଆ ଚଳଚ୍ଚିତ୍ର “କନ୍ୟାଦାନ” ର ଅଡିଓ ଲୋକାର୍ପିତ

181

କନକ ବ୍ୟୁରୋ : ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲ ରେ ଜୀ ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର “କନ୍ୟାଦାନ” ର ଅଡିଓ ଲୋକାର୍ପିତ ହୋଇଯାଇଛି । ଏଇ ଅଡିଓ ଲୋକାର୍ପଣ ଅବସରରେ ଅଭିନେତ୍ରୀ ଜସ୍ମିନ ରଥ, ବିକ୍ରମ ମହାନ୍ତି, କଣ୍ଠ ଶିଳ୍ପୀ ସ୍ୱୟଂ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ଦେବାଂଶୀ ଦାଶ, ଶୁଭାଶିଷ ଲେଙ୍କା, ସମେତ ଜୀ- ସାର୍ଥକ ଚାନେଲ ର ମୁଖ୍ୟ ପ୍ରତୀକ ସିଲ, ନନ୍ ଫିକ୍ସନ ହେଡ଼ ତନ୍ମୟ ମିଶ୍ର, ପ୍ରଯୋଜକ କବିର ଦାସ ଓ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଉପସ୍ଥିତ ରହି ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଅଡିଓ ଲୋକାର୍ପଣ ଓ ପୋଷ୍ଟର ଉନ୍ମୋଚନ କରିଥିଲେ ।

ଶାଶୁ-ବୋହୂ ସମ୍ପର୍କର ଅଦ୍ଭୁତ କାହାଣୀ ସହିତ ଜୀ-ସାର୍ଥକରେ ଆସନ୍ତା ୨୯ ତାରିଖ ସନ୍ଧ୍ୟା ୬:୩୦ ରେ ଦେଖନ୍ତୁ ଚଳଚ୍ଚିତ୍ର ‘କନ୍ୟାଦାନ’ । ଜୀ-ସାର୍ଥକ ଫିଲ୍ମସ ସବୁବେଳେ ନୂଆ ଓ ଭିନ୍ନ ଭିନ୍ନ କାହାଣୀରେ ନିର୍ମିତ ଚଳଚିତ୍ର ତାର ଦର୍ଶକଙ୍କୁ ଦେଇ ଆସିଛି । ଏଥର ସେହି ଚିରାଚରିତ ଶାଶୁ- ବୋହୂଙ୍କର ଝଗଡ଼ା ନୁହେଁ ବରଂ ଜଣେ ଶାଶୁ କିପରି ନିଜ ବୋହୂର କନ୍ୟାଦାନ କରୁଛନ୍ତି ତାକୁ ନେଇ ଏକ ଦମଦାର କାହାଣୀ ସହ ଜୀ-ସାର୍ଥକ ଫିଲ୍ମସ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘କନ୍ୟାଦାନ’ ର ଅଡ଼ିଓ ଜାନୁୟାରୀ ୨୦ ରେ ଲୋକାର୍ପିତ ହୋଇଛି ଏବଂ ଆଗାମୀ ୨୯ ଜାନୁଆରୀରେ ଏହି ଚଳଚ୍ଚିତ୍ର ଶୁଭମୁକ୍ତି କରିବ ।

ପ୍ରିୟବ୍ରତଙ୍କ କାହାଣୀ ତଥା କବିର ଦାସଙ୍କ ପ୍ରଯୋଜନା ଓ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ପାଇଁ ନିର୍ମଳ ନାୟକ ଗୀତ ରଚନା କରିଛନ୍ତି ଓ ପ୍ରଶାନ୍ତ ପାଢ଼ୀ ଗୀତଗୁଡ଼ିକ ସଙ୍ଗୀତରେ ସଜେଇଛନ୍ତି । ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂ ପାଢ଼ୀ, ଦେବାଂଶୀ ଦାଶ ଓ ଶୁଭାଶିଷ ଲେଙ୍କା ଏଥିରେ କଣ୍ଠ ଦାନ କରିଛନ୍ତି । ‘କନ୍ୟାଦାନ’ରେ ମୁଖ୍ୟ ଭୂମିକାରେ ବିଶିଷ୍ଟ ଅଭିନେତ୍ରୀ ମହାଶ୍ବେତା ରାୟ, ଜସ୍ମିନ ଓ ବିକ୍ରମ ଅଭିନୟ କରିଛନ୍ତି । ଏକ ଭିନ୍ନ ସ୍ୱାଦ ଓ ସମାଜରେ ବର୍ତ୍ତମାନ ସ୍ଥିତି ଉପରେ ଏହି କାହାଣୀ ସହ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ।

ସିନେ ଜଗତର ପରିଚିତା ‘ଗୌରିନାନୀ’ ଶ୍ରୀମତୀ ରାୟ ଦୀର୍ଘ ସମୟ ଧରି ଓଡିଆ ତଥା ବେଙ୍ଗଲୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ପ୍ରମୁଖ ଅଭିନେତ୍ରୀ । ତାଙ୍କର ବହୁମୁଖୀ ଅଭିନୟ ପାଇଁ ସେ ଓଡିଆ ସିନେମାର ଜଣେ ସର୍ବୋତ୍ତମ ଅଭିନେତ୍ରୀ ଭାବରେ ଜଣାଶୁଣା । କିମ୍ବଦନ୍ତୀ ଅଭିନେତା ପ୍ରଶାନ୍ତ ନନ୍ଦ ଏବଂ ହେମନ୍ତ ଦାସଙ୍କ ସହ ‘ଶେଷ ଶ୍ରାବଣ’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଏହି ଚଳଚିତ୍ର ରେ ପୁଣି ଦର୍ଶକ ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ପାଇବେ । ଜୀ-ସାର୍ଥକର ‘ସରଗମ୍’ ଧାରାବାହିକ ସହିତ ପ୍ରଥମ ଡେବ୍ୟୁ କରିଥିବା ଜସ୍ମିନ୍ ରଥ ଏବେ “ମା ଯାହାର ସାହା “ରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି ।

ଏଥିସହ ସୋସିଆଲ ମିଡିଆରେ ଜଣେ ପରିଚିତ ମୁହଁ । ଓଡିଆ ଭାଷାରେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି । ସେ ଜଣେ ଦକ୍ଷ ଏବଂ ପରିଶ୍ରମୀ ଅଭିନେତ୍ରୀ ଏବଂ ଏହି ଚଳଚିତ୍ରରେ ଦେଖିବାକୁ ମିଳିବ ଅଭିନୟ ପ୍ରତି ତାଙ୍କର ଉତ୍ସାହ । ବିଭିନ୍ନ ଓଡିଆ ଧାରାବାହିକରେ ନିଜ ଅଭିନୟର ଜାଦୁ ଦେଖାଇସାରିଥିବା ବିକ୍ରମ୍ ଏହି ଚଳଚିତ୍ରର ଏକ ଖାସ ଅଙ୍ଗ । ଏହି କାହାଣୀରେ ତାଙ୍କର ଆହୁରି ଉତ୍କୃଷ୍ଠ ହୋଇଛି ବୋଲି ସେ କହିଛନ୍ତି ।