କନକ ବ୍ୟୁରୋ : ଜୀ-ସାର୍ଥକର ଆସୁଛି ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ନୂଆ ଓଡ଼ିଆ ଫିଲ୍ମ କୁଳାଙ୍ଗାର-୨ । ଆସନ୍ତା ୧୭ ରବିବାର ସଂଧ୍ୟା ୬ଟା ୩୦ରେ ଏହି ଫିଲ୍ମ ରିଲିଜ୍ ହେବ । ଏହା ପୂର୍ବରୁ ଫିଲ୍ମର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସିନେମାର ମୁଖ୍ୟ ଚରିତ୍ରରେ ଅଛନ୍ତି ନାୟକ ଶାଶ୍ୱତ ଓ ନାୟିକା ନିଲାଖୀ । ଅଭିନେତା କୁନା ତ୍ରିପାଠୀ ଓ ମଧୁମିତା ମହାନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ସିନେମାର କାହାଣୀ ମ୍ୟାନେଜମେଂଟରେ ଗୋଲ୍ଡ ମେଡାଲିଷ୍ଟ ବିକାଶକୁ ନେଇ ତିଆରି ହୋଇଛି ।

ବିକାଶ ପାଠ ପଢି ସାରିବା ପରେ ମୋବାଇଲ୍ ଆପ୍ କରିବାକୁ ଚାହୁଁଛି । ହେଲେ ବିକାଶର ବାପା ଜଣେ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ । ପୁଅ ଏକ ସୁରକ୍ଷିତ ଚାକିରି କରୁ ବୋଲି ସେ ଚାହୁଁଛନ୍ତି । ହେଲେ ବିକାଶ ଷ୍ଟାର୍ଟ ଅପ୍ ପାଇଁ ମା’ଙ୍କୁ ଟଙ୍କା ଦେବା ପାଇଁ ବାଧ୍ୟ କରିଛି । ଶେଷରେ ଟଙ୍କା ନେଇ ଏକ ଚିଟ୍ଫଣ୍ଡ କମ୍ପାନୀରେ ବିନିଯୋଗ କରି ସବୁ ହରାଇ ବସିଛି । ଏମିତିକି ଜଣେ ଝିଅକୁ କିଡନାପ କରି ଘରର ବିରୋଧ ସତ୍ୱେ ବିବାହ କରିଛି । ଯାହାକୁ ନେଇ ଚିନ୍ତାରେ ରହୁଛନ୍ତି ପରିବାର । ଏପରି ଏକ କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ କୁଳାଙ୍ଗାର-୨ ।