ମେ୩୦ରୁ ନୂଆ ମେଗା ସିରିୟଲ ସୁନାଝିଅ । ସଂଧ୍ୟା ୭ଟା ୩୦ରେ ଜୀ ସାର୍ଥକରେ ହେବ ପ୍ରସାରିତ ।

106

କନକ ବ୍ୟୁରୋ: ଜୀ ସାର୍ଥକରେ ପୁଣି ଏକ ନୂଆ ସିରିୟଲ ଆରମ୍ଭ ହେବାକୁ ଯାଉଛି । ଯାହାର ନାଁ ରହିଛି  ‘ସୁନା ଝିଅ’ । ଆସନ୍ତା ମେ ୩୦ରୁ ପ୍ରତ୍ୟେକ ଦିନ ସଂଧ୍ୟା ୭ଟା ୩୦ରେ ଏହା ପ୍ରସାରିତ ହେବ । ଏଥିରେ ଓଡିଆ ଘରର ନିଛକ କାହାଣୀକୁ ସ୍ଥାନ ଦିଆଯାଇଛି । ମା’ର ସୁରକ୍ଷା ଓ ସମ୍ମାନ ପାଇଁ କିଭଳି ଝିଅ ନିଜକୁ ପ୍ରସ୍ତୁତ କରିଛି ତାହାର ଝଲକ ଏହି ମେଗା ଧାରାବାହିକରେ ଦେଖିବାକୁ ମିଳିବ । ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ବପ୍ନ ପୂରଣ କରିବା ସହ ଗୃହିଣୀ ମାଆ ପାଇଁ ଓ ସମାଜ ପାଇଁ ସୁନାଝିଅ ହେବା ଛୋଟିଆ କଥା ନୁହେଁ । ଯାହା କରିବାକୁ ଚେଷ୍ଟା କରିଛି ଝିଅଟିଏ । ପ୍ରକୃତରେ ଝିଅଟି ‘ସୁନାଝିଅ’ ହୋଇପାରୁଛି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିବ । ଧାରାବାହିକରେ ଅର୍ପିତା କରଙ୍କୁ ମା ଭୂମିକାରେ ଦେଖିବାକୁ ମିଳିବ । ଝିଅ ଭୂମିକାରେ ନଜର ଆସିବେ ରଜ କୁଇନ୍ ୨୦୨୨ର ପ୍ରତିଯୋଗୀ ଅଙ୍କିତାଙ୍କୁ । ଅନ୍ୟପଟେ ମଡେଲ ମାନସଙ୍କୁ ମଧ୍ୟ ଏଥିରେ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ ।

ଓଡିଆ ଦର୍ଶକଙ୍କୁ ପୂର୍ବରୁ ଅନେକ ମେଗା ସିରିୟଲ ଭେଟି ଦେଇଛି ଜୀ ସାର୍ଥକ । ଏବେ ପୁଣି ଆସନ୍ତା ୩୦ ତାରିଖରୁ ପ୍ରତ୍ୟେକ ଦିନ ସଂଧ୍ୟା ୭ଟା ୩୦ରେ ଏହା ପ୍ରସାରିତ ହେବାକୁ ଥିବା ବେଳେ ଏହି ନୂଆ ମେଗା ଧାରାବାହିକ ପୁଣିଥରେ ଟେଲି ଦୁନିଆରେ ଧମାଲ କରିବ ବୋଲି କୁହାଯାଇପାରେ ।