କନକ ବ୍ୟୁରୋ: ମାତ୍ର କେଇଦିନ ଭିତରେ ଦର୍ଶକଙ୍କ ପ୍ରଥମ ପସନ୍ଦ ସାଜିଛି ଜୀ ସାର୍ଥକର ମେଗା ସିରିୟଲ ‘ମା ଯାହାର ସାହା’ । ଗତ ଜୁଲାଇ ୧୮ ତାରିଖରୁ ପ୍ରସାରିତ ଜୀ ସାର୍ଥକର ଏହି ମେଗା ସିରିୟଲକୁ ଓଡିଶାବାସୀ ଅନେକ ଭଲପାଇବା ଦେଇଛନ୍ତି । ସୋମବାରରୁ ଶନିବାର ରାତି ୮ଟା ୩୦ରେ ପ୍ରସାରିତ ହେଉଥିବା ‘ମା ଯାହାର ସାହା’ର କାହାଣୀ ଇଶ୍ୱରଭକ୍ତି ଓ ବିଜ୍ଞାନକୁ ନେଇ ଗତିଶୀଳ । ତେବେ ଏହି କାହାଣୀକୁ ଦର୍ଶକଙ୍କ ଆଦୃତି ମିଳିଥିବା ବେଳେ ଏବେ ଏଥିରେ ଆସିବାକୁ ଯାଉଛି ନୂଆମୋଡ । ଯାହା ଦର୍ଶକଙ୍କୁ ଆହୁରି ରୋମାଞ୍ଚ ଭରିଦେବ ବୋଲି ଜୀସାର୍ଥକ ପକ୍ଷରୁ କୁହାଯାଇଛି ।
ଜଣେ ମହାଦେବଙ୍କ ଅଂଶ । ଆଉ ଜଣେ ମହାକାଳୀଙ୍କ ଅଂଶରୁ ଜାତ । ଶିବ ଆଉ ପାର୍ବତୀ ଦୁହେଁ ପରସ୍ପର ପାଇଁ ଅଜଣା । ଜଣେ ମା କାଳୀଙ୍କର ଭକ୍ତ ଆଉ ଜଣେ ବିଜ୍ଞାନର । ଡାଃ ଶିବପ୍ରସାଦ ତ୍ରିପାଠୀ ଜଣେ ସୁନାମଧନ୍ୟ ଡାକ୍ତର ଅନ୍ୟପଟେ ପାର୍ବତୀ ଗୋଟିଏ ଗାଉଁଲି ଝିଅ । ହେଲେ ସଂସାର କିନ୍ତୁ ଦୁଇ ଦେବଅଂଶଙ୍କ ମିଳନ ଅପେକ୍ଷାରେ । ତେବେ ସଂଯୋଗବଶତଃ ଶିବ ପାର୍ବତୀ ଦୁହେଁ ନିକଟତର ହୋଇ ଉଭୟଙ୍କ ଭିତରେ ସୃଷ୍ଟି ହୋଇଛି ସମ୍ପର୍କ । ପ୍ରଥମେ ତିକ୍ତତାରୁ ଆରମ୍ଭ ହୋଇଥିବା ସମ୍ପର୍କ ଧିରେ ଧିରେ ମଧୁର ହେବା ଆରମ୍ଭ କରେ । କିନ୍ତୁ ଏହାରି ଭିତରେ ସେମାନଙ୍କ ସମ୍ପର୍କ ଭିତରେ ପଶି ଆସିଛି ଗାଁ ସରପଞ୍ଚ ସନାତନ । ସମ୍ପର୍କର ରାସ୍ତାରେ ସରପଞ୍ଚ ବାଧା ଦେବାରେ ସଫଳ ହେଉଛି କି ନାହିଁ ତାକୁ ନେଇ କାହାଣୀ ଆଗକୁ ବଢ଼ୁଛି ।
ଗୋଟିଏ ପଟେ ପାର୍ବତୀ ସାମ୍ନାରେ ତା ପରିବାରର ଇଜ୍ଜତ ଆଉ ଗୋଟିଏ ପଟେ ଡାଃ ଶିବପ୍ରସାଦ । କାହାର ହେବ ପାର୍ବତୀ ? କଣ ସତରେ ଶିବପ୍ରସାଦଙ୍କୁ ରାସ୍ତାରୁ ହଟାଇପାରିବ ସନାତନ ? ପାର୍ବତୀର ପରିବାର ଏବେ କରିବେ କଣ ? ଶିବ ଓ ପାର୍ବତୀଙ୍କ ମିଳନ ପାଇଁ ଆଗକୁ କଣ ସବୁ ଘଟୁଛି ତାହା କାହାଣୀରେ ଅତି ଚମତ୍କାର ଭାବେ ଚିତ୍ରଣ କରାଯାଇଛି । ପାର୍ବତୀ ଭୂମିକାରେ ଚୁଲବୁଲି ଅଭିନେତ୍ରୀ ଜସ୍ମିନ ରଥ ଅଭିନୟ କରିଥିବା ବେଳେ ଡାଃ ଶିବପ୍ରସାଦ ଭୂମିକାରେ ନଜର ଆସିଛନ୍ତି ଆଲୋକ । ଅନ୍ୟମାନଙ୍କ ମଧ୍ୟରେ ଶକ୍ତିପ୍ରସାଦ ଭୂମିକାରେ ବିରେନ ମିତ୍ର, ଶୈଳଭାମା ଭୂମିକାରେ ଛନ୍ଦିତା ପାଢ଼ୀ ପ୍ରମୁଖ ଅଭିନୟ କରିଛନ୍ତି । ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮ଟା ୩୦ରେ ଜୀ ସାର୍ଥକରେ ପ୍ରସାରିତ ହେଉଛି ଏହି ଲୋକପ୍ରିୟ ଧାରାବାହିକ ‘ମା ଯାହାର ସାହା’ ।