କନକ ବ୍ୟୁରୋ: ଘରୋଇ ମାଟିରେ ପୁଣିଥରେ ବିଶ୍ୱକପ୍ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଏଥିପାଇଁ ବିସିସିଆଇ ୧୫ ଜଣିଆ ଦଳ ବି ଘୋଷଣା କରିସାରିଛି । ତେଣୁ ଏବେ ସମସ୍ତଙ୍କର ନଜର କ୍ରିକେଟ୍ ମୈଦାନ ଉପରେ । ଟିମ୍ ଇଣ୍ଡିଆ ଏଥର ବିଶ୍ୱକପ୍ କେମିତି ଖେଳୁଛି ଏବଂ ଟ୍ରଫି ଜିତୁଛି କି ନାହିଁ ତାକୁ ନେଇ ଏବେ ଆରମ୍ଭ ହେଇଛି ଚର୍ଚ୍ଚା ଆଲୋଚନା । ହେଲେ ଏହାରି ଭିତରେ ବିଶ୍ୱକପରୁ ବାଦ୍ ପଡିଥିବା ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଟିମରୁ ଡ୍ରପ୍ ଆଉଟ୍ ହେବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି । ଆଉ ଚହଲ ଯାହା କହିଛନ୍ତି ତାହା ତାଙ୍କର ମନର ଦୁଃଖକୁ ସିଧା ସିଧା ବୟାନ କରୁଛି ।
ଚହଲ କହିଛନ୍ତି , ବିଶ୍ୱକପରୁ ବାଦ୍ ପଡିବା ଏବେ ଅଭ୍ୟାସ ହେଇଗଲାଣି । ଜୀବନର ଏ ଗୋଟିଏ ଅଂଶ ହେଇଗଲାଣି । ତେବେ ବିଶ୍ୱକପ୍ ହେଉଛି ଏମିତି ଗୋଟିଏ ଟୁର୍ଣ୍ଣାମେଂଟ ଯେଉଁଠି କେବଳ ୧୫ ଜଣ ଖେଳାଳି ହିଁ ସିଲେକ୍ଟ ହେଇପାରିବେ । ତେଣୁ ଦଳରେ ସିଲେକ୍ଟ ନହେବା ଏବେ ଅଭ୍ୟାସ ପାଲଟିଗଲାଣି । ଏଥିସହିତ ସେ ଏବେ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି । ତାହା ହିଁ ତାଙ୍କ ଜୀବନର ଗୋଟିଏ ମାତ୍ର ଲକ୍ଷ୍ୟ ବୋଲି ଚହଲ କହିଛନ୍ତି ।
ଦିନେ ନିଜ ସ୍ପିନ ବୋଲିଂ ପାଇଁ ଚର୍ଚ୍ଚାରେ ଥିବା ଚହଲ । ଏହାକୁ ମିଶାଇ ଲଗାତାର ତିନୋଟି ବିଶ୍ୱକପରୁ ଡ୍ରପ୍ ହେଇସାରିଲେଣି । ଏହା ପୂର୍ବରୁ ୨୦୨୧ ମସିହା ଟି-୨୦ ବିଶ୍ୱକପ୍ ଦଳରେ ତାଙ୍କୁ ସ୍ଥାନ ମିଳିନଥିଲା । ପରେ ପରେ ୨୦୨୨ ମସିହା ଟି-୨୦ ବିଶ୍ୱକପରେ ମଧ୍ୟ ସେ ଟିମରେ ଥିଲେ ବି, ଖେଳିବାର ସୁଯୋଗ ପାଇନଥିଲେ । ତେଣୁ ଏଥର ବି ବିଶ୍ୱକପ୍ ଦଳରେ ସ୍ଥାନ ନପାଇବା ପରେ, ଲଗାତାର ତୃତୀୟ ଥର ପାଇଁ ବିଶ୍ୱକପ୍ ଦଳରୁ ବାହାରେ ରହିଛନ୍ତି ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ।
ଏଥର ବିଶ୍ୱକପ୍ ଟିମରେ ଦଳ ୩ ଜଣ ସ୍ପିନରଙ୍କୁ ନେଇସାରିଛି । ରବୀନ୍ଦ୍ର ଜାଡେଜାଙ୍କ ସହିତ କୁଲଦୀପ ଯାଦବ ଦଳରେ ସ୍ଥାନ ପାଇଛନ୍ତି । ତା ସହିତ ଅକ୍ଷର ପଟେଲ ଆହତ ହେଇ ବିଶ୍ୱକପରୁ ବାଦ୍ ପଡିବା ପରେ ତାଙ୍କ ସ୍ଥାନରେ ଆର ଅଶ୍ୱିନୀଙ୍କୁ ଦଳରେ ସିଲେକ୍ଟ କରାଯାଇଛି । ତେଣୁ ଏହି ତିନି ଜଣ ଷ୍ଟାର ସ୍ପିନରଙ୍କ ଭିତରୁ ୨ ଜଣ ସ୍ପିନର ଅଧିକାଂଶ ମ୍ୟାଚରେ ନଜର ଆସିପାରନ୍ତି । ନଚେତ୍ ପିଚକୁ ଦେଖି, ୩ ସ୍ପିନରଙ୍କ ସହ ବି ଦଳ ପଡିଆକୁ ଓହ୍ଲାଇପାରେ ।