କନକ ବ୍ୟୁରୋ : ଚଳିତ ଆଇପିଏଲରେ ବିରାଟଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଏବେ ସୁଦ୍ଧା ୯ଟି ମ୍ୟାଚ୍ ଖେଳି କୋହଲି ୧୨୮ ରନ୍ କରିବାକୁ ସକ୍ଷମ ହୋଇଛନ୍ତି । ଆଉ ସବୁଠୁ ବଡ କଥା ହେଲା, ଏହି ୯ଟି ଇନିଂସରୁ ବିରାଟଙ୍କ ବ୍ୟାଟରୁ ଗୋଟିଏ ବି ଅର୍ଦ୍ଧଶତକୀୟ ଇନିଂସ ଦେଖିବାକୁ ମିଳିନାହିଁ । ଆଉ ଏଭଳି ସ୍ଥିତିରେ ବିରାଟଙ୍କ ଫର୍ମକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ।
ଯୁବରାଜ କହିଛନ୍ତି, ବିରାଟ ନିଜର ଯୁବ ଅବସ୍ଥାକୁ ପୁଣିଥରେ ମନେପକାଇବାର ଆବଶ୍ୟକତା ରହିଛି । କୋହଲିଙ୍କ ୱାର୍କ ଆଉଟ ଗତ ୧୫ ବର୍ଷ ମଧ୍ୟରେ କୌଣସି ଆଥଲେଟଙ୍କ ୱାର୍କଆଉଟ ତୁଳନାରେ ବେଶ ଉଚ୍ଚକୋଟୀର । ଆଉ ଏହାକୁ ମନେ ପକାଇବା ଦ୍ୱାରା ନିଜର ଖରାପ ଫର୍ମରୁ ମୁକୁଳିପାରିବେ କୋହଲି । ଯୁବରାଜ କହିଛନ୍ତି, କୋହଲି ଏବେ ଭଲ ଫର୍ମରେ ନାହାନ୍ତି ସତ କିନ୍ତୁ ଏବେ ତାଙ୍କ ବ୍ୟାଟରୁ କିଛି ରନ୍ ବାହାରୁଛି ।
କେବଳ ଏତିକି ନୁହେଁ ଯୁବରାଜ କହିଛନ୍ତି, ଏଭଳି ଫର୍ମକୁ ଦେଖିବା ପରେ ମୁଁ କାହିଁକି ଯେକୌଣସି ବ୍ୟକ୍ତି ମଧ୍ୟ ଖୁସି ନାହାନ୍ତି । କାରଣ ଲଗାତାର ଶତକ ମାରି କୋହଲି ନିଜର ଏକ ବେଞ୍ଚମାର୍କ ସ୍ଥିର କରିଛନ୍ତି । ଯଦି ସେ ନିଜକୁ ବଦଳାଇବେ ତେବେ ଏହାର ପ୍ରଭାବ ତାଙ୍କର ଖେଳରେ ନିଶ୍ଚିତ ଦେଖିବାକୁ ମିଳିବ । କୋହଲି କ୍ରିକେଟରେ ନିଜକୁ ପ୍ରମାଣିତ କରି ସାରିଛନ୍ତି ।
କୋହଲି ଦୀର୍ଘ ଦିନ ହେବ ଫର୍ମରେ ନାହାନ୍ତି । ଶେଷଥର ପାଇଁ ୨୦୧୯ରେ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ କୋହଲି । ତେବେ ଚଳିତ ଆଇପିଏଲରେ ଲଗାତାର ୨ ମ୍ୟାଚରେ ଶୂନରେ ଆଉଟ ହେବା କୋହଲିଙ୍କ ଫର୍ମକୁ ନେଇ ପ୍ରଶ୍ନବାଚୀ ଛିଡା କରିଥିଲା । ଏହାସତ୍ତେ୍ୱ ମଧ୍ୟ ବିରାଟ ଆଇପିଏଲରେ ସର୍ବାଧିକ ରନ୍ କରିଥିବା ଖେଳାଳୀ ରହିଛନ୍ତି । କୋହଲି ଏପର୍ଯ୍ୟନ୍ତ ୨୧୬ ଆଇପିଏଲ ମ୍ୟାଚରୁ ୬୪୧୧ ରନ୍ କରିଛନ୍ତି ।