୬,୬,୬,୬,୬,୬ । ୧୪ ବର୍ଷ ପୂର୍ବେ କିଛି ଏମିତି ଗର୍ଜିଥିଲା ଯୁବରାଜଙ୍କ ବ୍ୟାଟ, ୩ ମିନିଟରେ ଦେଖନ୍ତୁ ୬ଟି ଛକାର ପୂରା ଭିଡ଼ିଓ ।

331

କନକ ବ୍ୟୁରୋ : ୧୯ ସେପ୍ଟେମ୍ବର ୨୦୦୭, ଆଜିକୁ ଠିକ୍ ୧୪ ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକାର ଡରବାନ ଷ୍ଟାଡିୟମରେ ବିଶ୍ୱ କ୍ରିକେଟରେ ନୂଆ ଇତିହାସ ରଚିଥିଲେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ । ଦକ୍ଷିଣ ଆଫ୍ରିକା ମାଟିରେ ଯୁବରାଜଙ୍କ ବ୍ୟାଟ ଗର୍ଜିଥିଲା, ଭାରତ ମ୍ୟାଚ୍ ଜିତିଥିଲା ଏବଂ ଯୁବରାଜଙ୍କ ନାଁ ଇତିହାସରେ ଲିପିବଦ୍ଧ ହୋଇଯାଇଥିଲା । ଇଂଲଣ୍ଡ ବିପକ୍ଷ ଟି-୨୦ ବିଶ୍ୱକପ ମ୍ୟାଚରେ ଯୁବରାଜଙ୍କ ବିସ୍ଫୋରକ  ଇନିଂସ ଦେଖିଥିଲା ପୂରା ବିଶ୍ୱ । ଗୋଟିଏ ଓଭରର ୬ଟି ବଲରେ ଲଗାତାର ୬ଟି ଛକା ମାରି ସିକ୍ସର କିଙ୍ଗ ଭାବେ ପରିଚିତ ହୋଇଥିଲେ ଯୁବରାଜ । ଆଉ ମାତ୍ର ୧୨ଟି ବଲରେ ଦ୍ରୁତତମ ଅର୍ଦ୍ଧଶତକ ପୂରଣ କରି ଯୁବରାଜ ନୂଆ ରେକର୍ଡ କରିଥିଲେ, ଯାହା ଏଯାଏଁ ଭାଙ୍ଗିନାହିଁ ।

୨୦୦୭ରେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟି-୨୦ ବିଶ୍ୱକପ ଖେଳାଯାଉଥିଲା । ଭାରତ ଦିନିକିଆ ବିଶ୍ୱକପରେ ଲିଗ୍ ପର୍ଯ୍ୟାୟରେ ପରାଜିତ ହୋଇଥିବାରୁ ବେଶ ଚାପରେ ରହିଥିଲା ।  କିନ୍ତୁ ୨୦୦୭ ବିଶ୍ୱକପ ଯେ ଭାରତ ପାଇଁ ସ୍ମରଣୀୟ ହୋଇ ରହିବ ତାହା କେହି କେବେ କଳ୍ପନା ମଧ୍ୟ କରିନଥିଲେ । ଭାରତ ଟି-୨୦ ବିଶ୍ୱକପର ପ୍ରଥମ ଚାମ୍ପିୟନ ହୋଇଥିଲା ଏବଂ ଏହି ବିଶ୍ୱକପର ଏକ ମ୍ୟାଚ୍ ମଧ୍ୟ ସବୁବେଳ ପାଇଁ କ୍ରିକେଟପ୍ରେମୀଙ୍କ ହୃଦୟରେ ରହି ଯାଇଥିଲା । ମ୍ୟାଚ୍ ଥିଲା ଭାରତ-ଇଂଲଣ୍ଡ ମଧ୍ୟରେ । ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।  ବୀରେନ୍ଦ୍ର ସେହୱାଗ ଓ ଗୌତମ ଗମ୍ଭୀରଙ୍କ ଧୁଆଁଧାର ଇନିଂସ ବଳରେ ଟିମ୍ ଇଣ୍ଡିଆ ୧୫ ଓଭର ଭିତରେ ୧୩୬ ରନ କରି ସାରିଥିଲା । ଟିମ୍ ଇଣ୍ଡିଆର ୩ଟି ୱିକେଟ ପତନ ପରେ ମୈଦାନକୁ ଓହ୍ଲାଇଥିଲେ ଯୁବରାଜ ସିଂ ।  ତେବେ ମ୍ୟାଚ୍ ଚାଲୁଥିବା ବେଳେ ଆଣ୍ଡ୍ରୁ୍ୟ ଫ୍ଲିଣ୍ଟଫଙ୍କ ସହ ଯୁବରାଜଙ୍କର ବାକ୍ ଯୁଦ୍ଧ ହୋଇଥିଲା । ଆଉ ଏହାର ପରିଣାମ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ଭୋଗିବାକୁ ପଡିଥିଲା ।

ମ୍ୟାଚର ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ଷ୍ଟୁଆର୍ଟ ବ୍ରଡ । ପ୍ରଥମ ବଲରୁ ହିଁ ପ୍ରହାର ଆରମ୍ଭ କରିଥିଲେ ଯୁବରାଜ । ପ୍ରଥମ ବଲରେ ଡିପ୍ ମିଡ ୱିକେଟ ଦେଇ ବିଶାଳ ଛକା ମାରିଥିଲେ ଯୁବରାଜ । ଆଉ ଏହାର ପରବର୍ତ୍ତୀ ୫ଟି ବଲରେ ଛକାର ବର୍ଷା କରିଥିଲେ ଯୁବରାଜ । ପଡିଆର ବିଭିନ୍ନ ଦିଗକୁ ଛକା ମାରି କ୍ରିକେଟପ୍ରେମୀଙ୍କ ପାଇଁ ଯୁବରାଜ ପାଲଟି ଯାଇଥିଲେ ସିକ୍ସର କିଙ୍ଗ୍ । ଓଭର ଶେଷ ହେବା ବେଳକୁ ଯୁବରାଜ କ୍ରିକେଟ ଇତିହାସରେ ଲେଖି ସାରିଥିଲେ ନୂଆ ଇତିହାସ । ୬ଟି ବଲରେ ଲଗାତାର ୬ଟି ଛକା ଓ ତା’ ସାଙ୍ଗକୁ ୧୨ ବଲରେ ଦ୍ରୁତତମ ଅର୍ଦ୍ଧଶତକ ପୂରଣ କରି ରେକର୍ଡର ପାହାଡ ଉପରେ ଛିଡା ହୋଇଥିଲେ ଯୁବରାଜ ।

ଆଉ ଯୁବରାଜଙ୍କ ଏହି ବିଧ୍ୱଂସି ଇନିଂସ ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୧୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ଏହି ମ୍ୟାଚ୍ ଜିତିବାକୁ ଜୋର ଲଗାଇ ଦେଇଥିଲେ ମଧ୍ୟ ୧୮ ରନରେ ମାତ୍ ଖାଇଥିଲା । ଟି-୨୦ ବିଶ୍ୱକପ ପ୍ରଥମର ସଂସ୍କରଣର ଏହି ମ୍ୟାଚ୍ କ୍ରିକେଟପ୍ରେମୀଙ୍କ ପାଇଁ ସବୁବେଳେ ତାଜା ହୋଇ ରହିବ । ଖାସକରି ଯୁବରାଜଙ୍କ ୬ଟି ବଲରେ ୬ଟି ଛକାକୁ କିଏ ବା ଭୁଲିବ ।