କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିରୋଧରେ ମ୍ୟାଚ୍ ଜିତିସାରିଛି ଭାରତ । ବିଜୟରୁ ନିଜର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ରୋହିତ ବାହିନୀ । ହେଲେ ରବିବାର ଅଷ୍ଟ୍ରେଲିଆ ବିରୋଧରେ ଭାରତର ଟପ୍ ଅର୍ଡର ଯେପରି ଆଉଟ୍ ହେଇ ପ୍ୟାଭିଲିୟନ ଫେରିଲା ତାକୁ ନେଇ ଏବେ ଆରମ୍ଭ ହେଇଛି ଆଲୋଚନା । ଖାସ୍ କରି ଦଳର ୩ ଜଣ ବ୍ୟାଟ୍ସମ୍ୟାନ୍ ବିନା କୌଣସି ରନ୍ କରି ଆଉଟ୍ ହେଇଯିବାକୁ ପସନ୍ଦ କରିନାହାଁନ୍ତି ପୂର୍ବତନ କ୍ରିକେଟର ଯୁବରାଜ ସିଂହ ।

ଅଷ୍ଟ୍ରେଲିଆ ବୋଲରଙ୍କ ଆଗରେ ଟିମ୍ ଇଣ୍ଡିଆର ୩ ଜଣ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ୍ ହେଇଥିଲେ । ଇଶାନ କିଶାନଙ୍କ ପରେ ରୋହିତ ଶର୍ମା ଶୂନରେ ଆଉଟ୍ ହେଲା ପରେ, ଚତୁର୍ଥ ନମ୍ବରରେ ଆସିଥିବା ଶ୍ରେୟାସ ଆୟର ମଧ୍ୟ ବଡ୍ ସଟ୍ ମାରିବାକୁ ଯାଇ କ୍ୟାଚ୍ ଦେଇଥିଲେ । ହେଲେ ଜଣେ ୪ ନମ୍ବର ବ୍ୟାଟ୍ସମ୍ୟାନ୍ ସବୁବେଳେ, ପ୍ରେସରରେ ରହିବା ଉଚିତ୍ । ଏବଂ ଦଳକୁ ସମ୍ଭାଳିବା କଥା । ଏହି କଥା ଶ୍ରେୟାସଙ୍କୁ ବୁଝିବାକୁ ପଡିବ ବୋଲି କହିଛନ୍ତି ବିଶ୍ୱକପ୍ ଚାମ୍ପିୟନ୍ ଦଳର ସଦସ୍ୟ ଯୁବରାଜ ସିଂହ ।

ଯୁବରାଜ କେ ଏଲ ରାହୁଲଙ୍କୁ ନେଇ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ରାହୁଲ ୫ ନମ୍ବର ପୋଜିସନ୍ ବଦଳରେ ୪ ନମ୍ବରରେ ପୋଜିସନରେ ବ୍ୟାଟିଂ ଆସିବାକୁ ପରାମର୍ଶ ଦେଇଛନ୍ତି ଯୁବରାଜ । ପାକିସ୍ତାନ ବିରୋଧରେ ଦମଦାର ଶତକ ପରେ ରାହୁଲ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିବାକୁ ଯୁବରାଜ ଟ୍ୱିଟରରେ ଲେଖିଛନ୍ତି । ଅନ୍ୟପଟେ କୋହଲିଙ୍କ କ୍ୟାଚ୍ ଡ୍ରପ୍ କରିବା ଅଷ୍ଟ୍ରେଲିଆ ଦଳକୁ ମହଙ୍ଗା ପଡିଲା ବୋଲି କହିଛନ୍ତି ଯୁବରାଜ ।

ବୁଧବାର ଚେନ୍ନାଇର ଚେପକ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା ଭାରତ- ଅଷ୍ଟ୍ରେଲିଆ ବିଶ୍ୱକପ୍ ମ୍ୟାଚ୍ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୯୯ ରନ୍ କରିପାରିଥିଲା କଙ୍ଗାରୁ ଦଳ । ଭାରତର ବୋଲରମାନେ ଚମକ୍ରାର ପ୍ରଦର୍ଶନ କରିବା ସହିତ ଅେଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥିଲେ । ହେଲେ ୨୦୦ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ମଧ୍ୟ ସମାନ ପରିସ୍ଥିତି ଦେଖିଥିଲା । ଦଳର ୩ ଜଣ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଇଶାନ କିଶାନ, ରୋହିତ ଶର୍ମା, ଆଉ ଶ୍ରେୟାସ ଆୟର ବିନା କୌଣସି ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

ସ୍ଥିତି ଏମିତି ହେଇଥିଲା ଯେ, ସହଜ ମ୍ୟାଚକୁ ଜିତିବା ବି ଟିମ୍ ଇଣ୍ଡିଆ ପାଇଁ ବଡ କଷ୍ଟକର ହେଇପଡିଥିଲା । ହେଲେ ବିରାଟ କୋହଲି ଏବଂ କେ ଏଲ ରାହୁଲଙ୍କ ଚମକ୍ରାର ଇଂନିସ ଭାରତକୁ ଦେଇଥିଲା ଜବରଦସ୍ତ ବିଜୟ । ତେବେ ଭଲ ଟିମ  ବିରୋଧରେ ଦଳର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଏମିତି ପ୍ରଦର୍ଶନ, ନିଶ୍ଚୟ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛି ।