ଯୁବରାଜ ଦେଇଥିଲେ ଟ୍ରେନିଂ, ଆଇପିଏଲରେ ଗର୍ଜୁଛି ଅଭିଷେକଙ୍କ ବ୍ୟାଟ୍ । ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କଲେ ଯୁବରାଜ, କହିଲେ… ।

359

କନକ ବ୍ୟୁରୋ : ଚଳିତ ଆଇପିଏଲରେ ଗର୍ଜୁଛି ଅଭିଷେକ ଶର୍ମାଙ୍କ ବ୍ୟାଟ । ପ୍ରତି ମ୍ୟାଚରେ ଖେଳୁଛନ୍ତି ବିଧ୍ୱଂସୀ ଇନିଂସ । ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ଅଭିଷେକ ଏବେ ପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ୧୬୧ ରନ କରିଛନ୍ତି । ଯେଉଁଥିରେ ୧୨ଟି ଚୌକା ଓ ୧୫ଟି ବିଶାଳ ଛକା ରହିଛି । ଅଭିଷେକଙ୍କ ବିସ୍ଫୋରକ ଇନିଂସ ହାଇଦ୍ରାବାଦର ବିଜୟକୁ ସହଜ କରୁଛି । ସବୁଠୁ ବଡ କଥା ହେଲା, ଅଭିଷେକ ଯେତେ ପର୍ଯ୍ୟନ୍ତ କ୍ରିଜରେ ରହୁଛନ୍ତି ପ୍ରତିପକ୍ଷ ଟିମର ବୋଲରଙ୍କ ନିଦ ହଜାଇ ଦେଉଛନ୍ତି । ଚାମ୍ପିୟନ ଚେନ୍ନାଇ ବିପକ୍ଷ ମ୍ୟାଚରେ ମଧ୍ୟ ଅଭିଷେକଙ୍କ ଆକ୍ରମଣାତ୍ମକ ଅନ୍ଦାଜ ଦେଖିବାକୁ ମିଳିଥିଲା । ପ୍ରଥମରୁ ହିଁ ଚେନ୍ନାଇ ବୋଲରଙ୍କୁ ପ୍ରହାର କରିବା ସହ ହାଇଦ୍ରାବାଦ ପାଇଁ ବିଜୟପଥ ସହଜ କରିଥିଲେ । ମାତ୍ର ୧୨ ବଲରୁ ୩୭ ରନର ବିସ୍ଫୋରକ ଇନିଂସ ଖେଳିଥିବା ଅଭିଷେକଙ୍କୁ ମ୍ୟାଚର ଶ୍ରେଷ୍ଠ ପ୍ଲେୟାର ଭାବେ ବିବେଚିତ କରାଯାଇଥିଲା ।

ଏହି ମ୍ୟାଚରେ ଶ୍ରେଷ୍ଠ ପ୍ଲେୟାର ଭାବେ ବିବେଚିତ ହୋଇଥିବା ଅଭିଷେକ ଏହି ସଫଳତାର ଶ୍ରେୟ ୩ ଜଣଙ୍କୁ ଦେଇଛନ୍ତି । ଅଭିଷେକ କହିଛନ୍ତି, ବୋଲିଂ ସମୟରେ ଏହା ସ୍ଲୋ ୱିକେଟ ବୋଲି ଜାଣିଥିଲୁ । ତେଣୁ ବ୍ୟାଟିଂ ସମୟରେ ପାୱାର ପ୍ଲେରେ ଯେତେ ଅଧିକ ରନ୍ ହୋଇପାରିବ ସେଥିପାଇଁ ପ୍ରୟାସ କରିଥିଲି । ଏବେ ଆଇପିଏଲରେ ବଡ ସ୍କୋରର ନିହାତି ଆବଶ୍ୟକତା ରହିଛି । ତାହାକୁ ଦୃଷ୍ଟିରେ ରଖି ବ୍ୟାଟିଂ କରିଥିଲି । ଏହି ସଫଳତା ପାଇଁ ଯୁବରାଜ ସିଂ, ବ୍ରାଏନ ଲାରା ଓ ବାପାଙ୍କୁ ଧନ୍ୟବାଦ ଦେଇଛନ୍ତି ଅଭିଷେକ ।

ଆଇପିଏଲର ବିଧ୍ୱଂସୀ ଖେଳାଳୀ ଭାବେ ପରିଚୟ ସୃଷ୍ଟି କରୁଥିବା ଅଭିଷେକ ଯୁବରାଜଙ୍କ ଠାରୁ ଟ୍ରେନିଂ ନେଉଛନ୍ତି । ଅନେକ ସମୟରେ ଅଭିଷେକଙ୍କୁ ଯୁବରାଜଙ୍କ ସହ ଦେଖିବାକୁ ମିଳେ । ଅଭିଷେକଙ୍କ ଇନିଂସ ପାଇଁ ଯୁବରାଜ ଅନେକ ସମୟରେ ସୋସିଆଲ ମିଡ଼ିଆରେ ପ୍ରଂଶସା କରିବାକୁ ପଛାନ୍ତି ନାହିଁ । ଚେନ୍ନାଇ ବିପକ୍ଷରେ ବିଧ୍ୱଂସୀ ଇନିଂସ ଖେଳିବା ପରେ ଯୁବରାଜ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୁଁ ତୁମ ସାଥୀରେ ଅଛି । ପୁଣିଥରେ ଭଲ ଖେଳିଲ । କିନ୍ତୁ ଖରାପ ସଟ୍ ଖେଳିବା କାରଣରୁ ଆଉଟ ହେଲ । ଏହା ଲେଖିବା ସହ ଏକ ମଜାଦାର ଭିଡ଼ିଓ ପୋଷ୍ଟ କରିଛନ୍ତି ଯୁବରାଜ । ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ଅଭିଷେକ । ସେତେବେଳେ ମଜାଳିଆ ଅନ୍ଦାଜରେ ପୋଷ୍ଟ ସେୟାର କରି ଯୁବରାଜ ଲେଖିଥିଲେ, ଜବରଦସ୍ତ ଇନିଂସ ଖେଳିଲ ଅଭିଷେକ । କିନ୍ତୁ କେଉଁଭଳି ସଟ୍ ଖେଳି ଆଉଟ ହେଲ । ଚପଲ ଫଟୋ ରହି ଏହା ତମକୁ ଅପେକ୍ଷା କରିଛି ବୋଲି କହିଥିଲେ ଯୁବରାଜ ।

ଅଭିଷେକଙ୍କୁ ନେଇ ଯୁବରାଜ ଏକ ସାକ୍ଷାତକାରରେ ମଧ୍ୟ କହିଥିଲେ, ଅଭିଷେକଙ୍କ ମଧ୍ୟରେ ମୁଁ ନିଜକୁ ଦେଖୁଛି । ଚଳିତ ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ଅଭିଷେକଙ୍କ ନାଁରେ ରହିଛି । ମାତ୍ର ୧୬ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ଅଭିଷେକ । ଆଗକୁ ଟି-୨୦ ବିଶ୍ୱକପ ଥିବାରୁ ପ୍ରଦର୍ଶନ ଭିତରେ ଅଭିଷେକଙ୍କ ଦଳରେ ସ୍ଥାନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।