ଯୁବରାଜ ଗିରଫ ହେଲେ, ଜାମିନରେ ଆସିଲେ । କ’ଣ ରହିଛି ପୂରା ମାମଲା ପଢ଼ନ୍ତୁ…

2,237

କନକ ବ୍ୟୁରୋ: ଗିରଫ ହେଲେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ । ରବିବାର ହରିଆଣା ପୁଲିସ ତାଙ୍କୁ ଗିରଫ କରିଥିଲା । ହେଲେ କିଛି ସମୟରେ ଏହି ପୂର୍ବତନ କ୍ରିକେଟର ଜାମିନ ପାଇ ଯାଇଥିଲେ । ଗତବର୍ଷ ଲକଡାଉନ ସମୟରେ ଯୁବରାଜ ସିଂହ ରୋହିତ ଶର୍ମାଙ୍କ ସହ ସୋସିଆଲ ମିଡିଆରେ କଥା ହୋଇଥିଲେ । ଏହି ସମୟରେ ସେ କ୍ରିକେଟର ଯୁଜୁବେନ୍ଦ୍ର ଚହଲଙ୍କ ଜାତିକୁ ନେଇ ଏକ ଆପତିଜନକ ମନ୍ତବ୍ୟ ଦେଇଥିଲେ । ଆଉ ସେହି ଭିଡିଓଟି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ପରେ ଯୁବରାଜ ସିଂଙ୍କ ନାମରେ ଏନେଇ ହରିୟାଣାର ହିସାରର ହାଂସି ନଗରରେ ଅନୁସୂଚିତ ଜାତି ଆଇନ ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ହରିଆଣାର ହାନସି ପୁଲିସ ଯୁବରାଜଙ୍କୁ ଗିରଫ କରିବା ଖବର ଗୁପ୍ତ ରଖିଥିଲା ।

ସବୁଠାରୁ ବଡ଼କଥା ହେଲା, ଯୁବରାଜଙ୍କୁ ଗିରଫ କରିବାର ପରେ ୩ ଘଂଟା ଧରି ଯୁବରାଜଙ୍କୁ ପୁଲିସ ପଚରାଉଚରା କରିଥିଲା । ଠିକ୍ ସେହି ସମୟ ଭିତରେ ଯୁବରାଜଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଗଲା । ଏହି ମାମଲାରେ କିଛି ଦିନ ତଳେ ହାଇକୋର୍ଟ ଯୁବରାଜ ସିଂହଙ୍କୁ ଆଗୁଆ ଜାମିନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ହାଂସୀ ପୁଲିସ୍ ତାଙ୍କୁ ଔପଚାରିକ ଭାବେ ଗିରଫ କରିଥିଲା । ପୁଲିସ୍ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲା ଏବଂ ପରେ ଆଗୁଆ ଜାମିନର ଡକ୍ୟୁମେଣ୍ଟ ଆଧାରରେ ତାଙ୍କୁ ଛାଡ଼ି ଦେଇଛି ଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ସୂଚନା ମୁତାବକ, ସାମାଜିକ କର୍ମୀ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ତେବେ ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ । ଏନେଇ ତାଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏବେ ଜାମିନ୍ ପାଇଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ଯୁବରାଜ ।