କନକ ବ୍ୟୁରୋ : ଆଇପିଏଲ ଖେଳିବାକୁ ଦେଶ ବିଦେଶର ଅଧିକାଂଶ ଖେଳାଳି ଚାତକ ଭଳି ଚାହିଁ ରହିଥାନ୍ତି । ଏପରିକି ଆଇପିଏଲ ଟିମରେ ସ୍ଥାନ ପାଇବାକୁ ଖେଳାଳି ମାନେ କଠିନ ପରିଶ୍ରମ କରିଥାନ୍ତି । କିନ୍ତୁ ପ୍ରତ୍ୟେକ ଥର ଆଇପିଏଲ ଟିମରେ ସ୍ଥାନ ପାଇବା ଏତେ ସହଜ ନୁହେଁ । କିନ୍ତୁ ଏବେ କିଛି ନାମୀ ଭାରତୀୟ କ୍ରିକେଟର ବିଦେଶୀ କ୍ରିକେଟ ଲିଗ୍ ଖେଳିବାକୁ ମୁହାଁଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ସୁଦୀପ ତ୍ୟାଗୀ, ମନବିନ୍ଦର ବିସଲା, ୟୁସୁଫ ପଠାନଙ୍କ ଭଳି ଖେଳାଳି ରହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ପୂର୍ବତନ ଦ୍ରୁତ ବୋଲର ସୁଦୀପ ତ୍ୟାଗୀ, ଆଇପିଏଲ ଖେଳିଥିବା ବିସଲା, ପୂର୍ବ ଭାରତୀୟ କ୍ରିକେଟର ୟୁସୁଫ ପଠାନ୍ ଏବେ ଲଙ୍କା ପ୍ରିମିୟର ଲିଗ ଖେଳିବାକୁ ନାମ ପଞ୍ଜୀକରଣ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଚଳିତବର୍ଷ ୩୦ ଜୁଲାଇରୁ ୨୨ ଅଗଷ୍ଟ ମଧ୍ୟରେ ଲଙ୍କା ପ୍ରିମିୟର ଲିଗ୍ ଖେଳାଯିବ । ତେବେ ଶ୍ରୀଲଙ୍କା ପକ୍ଷରୁ ୟୁସୁଫ ପଠାନଙ୍କ ନାଁ ଉଲ୍ଲେଖ କରିଛି । ଅନ୍ୟ କୌଣସି ଖେଳାଳିଙ୍କ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଏହାପୂର୍ବରୁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଇରଫାନ ପଠାନ ଗତବର୍ଷ କ୍ୟାଣ୍ଡି ଫ୍ରାଞ୍ଚାଇଜ ପକ୍ଷରୁ ଖେଳିଥିଲେ । ସେହିଭଳି ତ୍ୟାଗୀ ମଧ୍ୟ ଗତବର୍ଷ ଡାମ୍ବୁଲା ଭିକିଙ୍ଗ ପକ୍ଷରୁ ଖେଳିଛନ୍ତି । ପୂର୍ବରୁ ତ୍ୟାଗୀ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଆଇପିଏଲରେ ଖେଳିଛନ୍ତି । ଏପରିକି ଭାରତ ପକ୍ଷରୁ ତ୍ୟାଗୀ ୪ଟି ଏକଦିବସୀୟ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ବିସିସିଆଇ ଭାରତୀୟ ଖେଳାଳିଙ୍କୁ କୌଣସି ବିଦେଶୀ ଲିଗରେ ଖେଳିବାକୁ ଅନୁମତି ଦିଏନାହିଁ । ଯଦି କୌଣସି ଖେଳାଳି ବିଦେଶୀ ଲିଗରେ ଭାଗ ନେବାକୁ ଚାହୁଁଥାନ୍ତି ତେବେ ପ୍ରଥମେ ତାଙ୍କୁ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ପଡିଥାଏ । ପୂର୍ବରୁ ଇରଫାନ, ୟୁସୁଫ, ତ୍ୟାଗୀ ଓ ମୁନାଫ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ତେଣୁ ଲଙ୍କା ପ୍ରିିମିୟର ଲିଗରେ ଭାଗ ନେବାରେ ଏମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ ନାହିଁ ।