କନକ ବ୍ୟୁରୋ: ୧୦୮ ଗରା ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି ଶ୍ରୀବିଗ୍ରହ। ସୁସ୍ଥ ହେବା ପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ସେବା। ଅନ୍ଧାକାରମୟ ପିଣ୍ଡିକୁ ଏକମାତ୍ର ଦୀପ ଆଲୋକିତ କରୁଛି। ମହାପ୍ରଭୁଙ୍କ ଅସୁସ୍ଥତାରେ ଶ୍ରୀମନ୍ଦିର ନିରବି ଯାଇଛି। ଅଣସର ଘରେ ବିଶ୍ରାମରେ ଥିବା ମହାପ୍ରଭୁଙ୍କ ଶରୀର ସୁସ୍ଥ ହେବାରେ ଯେପରି କୌଣସି ବିଘ୍ନ ନଘଟେ ସେ ନେଇ ଘଣ୍ଟଘଣ୍ଟା, ସଂଗୀତ, କୀର୍ତନ ସବୁକିଛି ଶ୍ରୀମନ୍ଦିରରେ ବନ୍ଦ ରଖାଯାଇଛି। ଶ୍ରୀବିଗ୍ରହମାନଙ୍କୁ ସୁସ୍ଥ କରିବା ଲାଗି ସେବାରେ ଲାଗି ପଡ଼ିଛନ୍ତି ଦଇତାପତି। ଖଣ୍ଡିଏ ମାତ୍ର ଶୁକ୍ଳବସ୍ତ୍ରରେ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ସମସ୍ତ ଦଇତାପତି ମଧ୍ୟ ଶୁକ୍ଳବସ୍ତ୍ର ପରିଧାନ କରି ସେବାରେ ଯୋଗ ଦେଇଛନ୍ତି। ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୋଇଛି।

Advertisment

treatment sreejiu

ସ୍ନାନଯାତ୍ରାରୁ ମହାପ୍ରଭୁ ପରିଧାନ କରିଥିବା ଓଦାବସ୍ତ୍ର ଫିଟାଯାଇଛି। ବିଳମ୍ବିତ ରାତିରେ ଠାକୁରଙ୍କ ଏହି ନୀତି ସଂପନ୍ନ ହୋଇଛି। ଆଜି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବ। ବଡ଼ଓଡ଼ିଆ ମଠ ଏହି ତେଲକୁ ପ୍ରସ୍ତୁତ କରିଥିବା ବେଳେ ଆଜି ଏକ ଭବ୍ୟ ଶୋଭାଯାତ୍ରା ଶ୍ରୀମନ୍ଦିରକୁ ଏହାକୁ ନିଆଯିବ। ବୈଦ୍ୟଙ୍କ ପରାମର୍ଶ କ୍ରମେ ଅଣସର ପିଣ୍ଡିରେ ଶ୍ରୀଜିଉଙ୍କୁ ଏହି ଫୁଲୁରୀ ତେଲ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଶାଳ ପର୍ଣ୍ଣିି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣିି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ବାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର ଆଦିକୁ ମିଶାଇ ଫୁଲୁରୀ ତେଲର ଏହି ମହୌଷଧି ପ୍ରସ୍ତୁତ କରାଯାଇଛି। ଏହି ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ନବଯୌବନ ପ୍ରାପ୍ତି ହେବେ। ଆସନ୍ତା ୧୩ ତାରିଖରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ରହିଛି। ଏହି ଦିନ ମହାପ୍ରଭୁ ସୁସ୍ଥ ଶରୀରରେ ଭକ୍ତଙ୍କୁ ନବ ଯୌବନ ବେଶରେ ଦର୍ଶନ ଦେବେ।