କନକ ବ୍ୟୁରୋ : ଅନେକ ସମୟରେ ଚ୍ୟାଲେଞ୍ଜ ମାରି ହାରିବା ପରେ ଏହାକୁ କେହି ପାଳନ କରନ୍ତିନି । କିନ୍ତୁ ଆନ୍ଧ୍ରପ୍ରଦେଶରେ ଜଣେ ରାଜନେତା ନିର୍ବାଚନ ସମୟରେ ଯେଉଁ ଚ୍ୟାଲେଞ୍ଜ ମାରିଥିଲେ ତାହାକୁ ପୂରା କରିଛନ୍ତି । ଆନ୍ଧ୍ରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ଚ୍ୟାଲେଞ୍ଜ କରି ହାରିବା ପରେ ଏହାକୁ ପୂରା କରିଛନ୍ତି ଜଗନମୋହନ ରେଡ୍ଡୀଙ୍କ ଦଳର ନେତା । ନିର୍ବାଚନ ସମୟରେ ୱାଇଏସଆରସିପି ନେତା ମୁଦ୍ରଗଡା ପଦ୍ମନାଭମ ଚ୍ୟାଲେଞ୍ଜ କରିଥିଲେ ଯେ, ଯଦି ସେ ନିର୍ବାଚନରେ ହାରନ୍ତି ତେବେ ନିଜର ନାଁ ବଦଳାଇଦେବେ । ନିର୍ବାଚନ ପରେ ମୁଦ୍ରଗଡା ନିଜର ନାଁ ପରିବର୍ତ୍ତନ କରିଛନ୍ତି ।

Advertisment

ମୁଦ୍ରଗଡା ପଦ୍ମନାଭମ ଅଧିକାରିକ ଭାବେ ନିଜର ନାଁ ପରିବର୍ତ୍ତ ନ କରି ପଦ୍ମନାଭା ରେଡ୍ଡୀ କରିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କୁ ପରାଜିତ ନ କଲେ ନାଁ ବଦଳାଇବାକୁ କହିଥିଲେ ମୁଦ୍ରଗଡା । ନାଁ ବଦଳାଇବା ପରେ ମୁଦ୍ରଗଡା କହିଛନ୍ତି, କେହି ମୋତେ ନାଁ ବଦଳାଇବାକୁ ଚାପ ପକାଇନାହାନ୍ତି । ବରଂ ମୋ ନିଜ ଇଚ୍ଛାରେ ନାଁ ପରିବର୍ତ୍ତନ କରିଛି । ତେବେ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ପ୍ରଂଶସକ ଯେଉଁଭଳି ଖରାପ ବ୍ୟବହାର କରୁଛନ୍ତି ତାହାକୁ ନେଇ ଅଭିଯୋଗ କରିଛନ୍ତି ପଦ୍ମନାଭା ରେଡ୍ଡୀ ।

ପଦ୍ମନାଭା ରେଡ୍ଡୀ କହିଛନ୍ତି, ଯେଉଁ ଯୁବକମାନେ ପୱନ କଲ୍ୟାଣଙ୍କୁ ଭଲ ପାଉଛନ୍ତି ସେମାନେ ମୋତେ ଲଗାତାର ଅପଶବ୍ଦ କହୁଛନ୍ତି । ଏମିତି ଗାଳି ଦେବା ପରିବର୍ତ୍ତେ ଆମ ପରିବାରକୁ ଶେଷ କରିଦିଅ । ପୂର୍ବରୁ ମନ୍ତ୍ରୀ ଥିବା ପଦ୍ମନାଭା ରେଡ୍ଡୀ ନିର୍ବାଚନର କିଛି ଦିନ ପୂର୍ବରୁ ୱାଇଏସଆରସିପିରେ ସାମିଲ ହୋଇଥିଲେ ।