କନକ ବ୍ୟୁରୋ: ମହେନ୍ଦ୍ର ସିଂହ ଧୋନୀ ଆଉ ଚେନ୍ନାଇ ସୁପର କିଙ୍ଗସର ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର । ଦଳର କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀ ଏମିତି କିଛି କଥା କହିଛନ୍ତି, ଯାହା ଧୋନୀ ଫ୍ୟାନ୍ସଙ୍କ ମନରେ ଖୁସି ଖେଳାଇଦେଇଛି । ଏଥର ଆଇପିଏଲ୍ ଧୋନୀଙ୍କ ଶେଷ ଆଇପିଏଲ୍ ନୁହେଁ ବୋଲି ନିଜେ କହିଛନ୍ତି ଧୋନୀ ।
ବୁଧବାର ଲକ୍ଷ୍ନୌ ଆଉ ଚେନ୍ନାଇ ମ୍ୟାଚ୍ ବେଳେ, ମହେନ୍ଦ୍ର ସିଂହ ଧୋନୀ ଟସ୍ ପକାଇବାକୁ ଆସିଥିଲେ । ଆଉ ଟସ୍ ଜିତିବା ପରେ ବୋଲିଂ ନିଷ୍ପତି ନେଇଥିଲେ । ହେଲେ ଏହି ସମୟରେ ଧୋନୀଙ୍କୁ ଅବସର କଥା ପଚାରିଥିଲେ ଡାନି ମାରିସନ୍ । ଆଉ ସେତିକି ବେଳେ ଧୋନୀ ହସି ହସି ଯେଉଁ ଉତ୍ତର ଦେଇଥିଲେ, ତାହା କୋଟି କୋଟି ଧୋନୀ ଆଉ ଚେନ୍ନାଇ ଫ୍ୟାନ୍ସଙ୍କ ମନରେ ଖୁସି ଖେଳାଇ ଦେଇଥିଲା ।
ଟସ୍ ଜିତିବା ପରେ ଧୋନୀ କହିଥିଲେ, ଆପଣ ଭାବି ଦେଇଛନ୍ତି ଏହା ମୋର ଶେଷ ଆଇପିଏଲ୍ ଅଟେ । ହେଲେ ଏ ବିଷୟରେ କିନ୍ତୁ ମୁଁ କିଛି ବି ଚିନ୍ତା କରିନି । ଅର୍ଥାତ ଚଳିତ ବର୍ଷ ଆଇପିଏଲରୁ ଅବସର ନେବା ନେଇ ଧୋନୀ କୌଣସି ବି ପ୍ରକାର ଚିନ୍ତା କରିନଥିବା ସିଧାସିଧା ଉତ୍ତର ଦେଇଥିଲେ ।
ତେବେ ଗତ ବର୍ଷଠାରୁ ହିଁ ଆଇପିଏଲରୁ ଧୋନୀଙ୍କ ଅବସର କଥା ଚର୍ଚ୍ଚାରେ ରହିଆସିଛି । ଗତ ବର୍ଷ ମଧ୍ୟ ଧୋନୀଙ୍କର ଏହା ଶେଷ ଆଇପିଏଲ୍ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ସେହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିବା ସହିତ ଧୋନୀ ଏଥର ବି ଆଇପିଏଲ୍ ଖେଳିଥିଲେ । ଏଥର ପ୍ରତିଟି ଆଇପିଏଲ୍ ମ୍ୟାଚରେ ଧୋନୀଙ୍କୁ ଦେଖିବାକୁ ସବୁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳୁଛି । ଧୋନୀ ବି ଚେନ୍ନାଇକୁ ସପୋର୍ଟ କରୁଥିବାରୁ, ସବୁ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଉଛନ୍ତି । ହେଲେ ଏହି ସବୁ ଭିତରେ ଧୋନୀ ପୁଣିଥରେ ନିଜର ଅବସର କଥାରେ ପୂର୍ଣ୍ଣଚ୍ଛେଦ ଟାଣିବା ଧୋନୀ ଫ୍ୟାନ୍ସଙ୍କୁ ଖୁସି ଆଣିଦେଇଛି ।
ଧୋନୀ ହେଉଛନ୍ତି ଆଇପିଏଲର ଜଣେ ସଫଳ ଅଧିନାୟକ । ଧୋନୀଙ୍କ କ୍ୟାପଟେନ୍ସିଂରେ ଚେନ୍ନାଇ ୪ ଥର ଆଇପିଏଲ୍ ଟ୍ରଫି ଜିତିଥିବାବେଳେ, ୯ ଥର ଫାଇନାଲରେ ସ୍ଥାନ ପକ୍କା କରିଛି । ତେବେ ଧୋନୀ ହେଉଛନ୍ତି ଏମିତି ଜଣେ କ୍ୟାପଟେନ୍ ଯିଏ ଆଇପିଏଲ୍ ଆରମ୍ଭରୁ କ୍ୟାପଟେନ୍ ରହି ଆଜି ପର୍ଯ୍ୟନ୍ତ ମଧ୍ୟ କ୍ୟାପଟେନ୍ ଅଛନ୍ତି । ତାଙ୍କ କ୍ୟାପଟେନ୍ସିରେ ଚେନ୍ନାଇ ସୁପର କିଙ୍ଗସ୍ ଦୁଇ ଥର ଚାମ୍ପିୟନ୍ ଲିଗ୍ ମଧ୍ୟ ଜିତିସାରିଛି ।
ଟିମ୍ ଇଣ୍ଡିଆରୁ ଅବସର ନେଲା ପରେ ବି ଧୋନୀ ଏବେ ଆଇପିଏଲ୍ ଖେଳିବା ଜାରି ରଖିଛନ୍ତି । ଆଇପିଏଲ୍ ହେଉଛି ଏବେ ସେହି ଗୋଟିଏ ମାତ୍ର ପ୍ଲାଟଫର୍ମ ଯେଉଁଠି କୋଟି କୋଟି ଲୋକ ଧୋନୀଙ୍କୁ ପଡିଆରେ ଦେଖିବା ସହ ତାଙ୍କ ହେଲିକପ୍ଟର ସଟର ମଜା ନେଉଛନ୍ତି । ତେଣୁ ଏ ସବୁ ଭିତରେ ଧୋନୀ କେବେ ପଡିଆକୁ ପୂରା ପୂରି ଅଲବିଦା କହୁଛନ୍ତି । କେବେ ଆଇପିଏଲରୁ ଅବସର ନେବା କଥା ଚିନ୍ତା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
Follow Us