କନକ ବ୍ୟୁରୋ : ୟୁ-ଟ୍ୟୁବର କାମିଆ ଜାନିଙ୍କ ପ୍ରସଙ୍ଗରେ ରାଜନୀତିର ରଂଗ ଲାଗିବା ପରେ, ବୟାନବାଜି ତୀବ୍ର ହେବା ପରେ ସେ ନିଜେ ସାମନାକୁ ଆସିଛନ୍ତି । ଯେଉଁ ସୋସିଆଲ ମିଡିଆରେ ତାଙ୍କୁ ନେଇ ଝଡ ଉଠିଛି ସେହି ସୋସିଆଲ ମିଡିଆରେ ସେ ଭିଡିଓ ପୋଷ୍ଟ କରି ନିଜକୁ ଜଣେ ହିନ୍ଦୁ ବୋଲି କହିଛନ୍ତି ।

Advertisment

କେବଳ ଏତିକି ନୁହେଁ ସେ କେବେବି ଗୋମାଂସ ଖାଇନଥିବା କିମ୍ବା ଗୋମାଂସର ପ୍ରଚାର ପ୍ରସାର କରିନାହାନ୍ତି ବୋଲି କହିଛନ୍ତି । ଏବଂ ଯେଉଁ ଭିଡିଓକୁ ସାମନାକୁ ଆଣି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି, ସେ ତାର ପୂରା ଭିଡିଓକୁ ଜାରି କରି ସତ କଣ ଜାଣିବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ଭାରତର ବିଭିନ୍ନ ପ୍ରକାରର ଜିନିଷକୁ ବିଶ୍ୱସ୍ତରରେ ପହଁଚାଇବା ତାଙ୍କର କର୍ତବ୍ୟ ବୋଲି କହିଛନ୍ତି ।

କାମିଆଙ୍କ ସଫେଇ ସତ୍ୱେ ଥମିନି ବିବାଦ । ରାଜନୈତିକ ଦଳଙ୍କ ଭିତରେ ବଢ଼ୁଛି ବୟାନବାଜି । କାମିଆ ଜାନିଙ୍କ ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ, ଶାସକ ଦଳ ବିଜେଡିକୁ ଘେରିଛନ୍ତି । ଜଗନ୍ନାଥଙ୍କୁ ନେଇ ରାଜନୀତି ଓ ମହାପ୍ରସାଦକୁ ନେଇ ମାର୍କେଟିଂ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ । କାମିଆ ଜାନିଙ୍କୁ ଆଣି ବିଜେଡି ଅପପ୍ରଚାର କରି ଉକ୍ରଳର ପରମ୍ପରା ଓ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିବା କହିଛି କଂଗ୍ରେସ । ଜବାବରେ, କାମିଆ ଜାନି କେମିତି ରାମ ମନ୍ଦିରର ବ୍ରାଣ୍ଡ ଆମ୍ବାସଡର ହୋଇଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି ।

କିଛି ଦିନ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଫାଇଭ-ଟି ଅଧ୍ୟକ୍ଷଙ୍କ ସହ ଏକ ସାକ୍ଷାତକାର ନେଇଥିଲେ କର୍ଲି ଟେଲ୍ସର ମୁଖ୍ୟ କାମିଆ ଜାନି । ସୋସିଆଲ୍ ମିଡିଆରେ କାମିଆ ମହାପ୍ରସାଦ ଖାଉଥିବା ଦୃଶ୍ୟ ଭାଇରାଲ ହୋଇଥିଲା । ଆଉ କାମିଆଙ୍କ ଏହି ଭିଡିଓ ଆସିବା ପରେ, ଭାଇରାଲ ହୋଇଥିଲା ସେ ପୂର୍ବରୁ ପୋଷ୍ଟ କରିଥିବା ଏକ ହୋଟେଲର ଭିଡିଓ । ତାପରେ ଆରମ୍ଭ ହୋଇଯାଇଛି ବିବାଦ ।