କନକ ବ୍ୟୁରୋ: ପାର୍ଟୀକୁ ସାପ ଏବଂ ସାପର ବିଷ ଯୋଗାଇଉଥିବା ଅଭିଯୋଗରେ ରବିବାର ୟୁଟ୍ୟୁବର ତଥା ବିଗବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ଗିରଫ କରିଥିଲା ନୋଏଡା ପୁଲିସ। ପୂର୍ବରୁ ଏଭଳି ଆରୋପକୁ ଅସ୍ୱୀକାର କରୁଥିବା ଏଲଭିସ୍ ଗିରଫ ପରେ ସମସ୍ତ ଆରୋପକୁ ଗ୍ରହଣ କରିଥିବା ଜଣାପଡ଼ିଛି। ଏହା ସହ ଗତବର୍ଷ ନଭେମ୍ବରରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସହ ତାଙ୍କର ସମ୍ପର୍କ ଥିବା ଏଲଭିଶ ଯାଦବ ସ୍ୱୀକାର କରିଛନ୍ତି।

Advertisment

କିଛି ମାସ ପୂର୍ବେ ଏଲଭିଶଙ୍କୁ ଏକ ରେଭ୍ ପାର୍ଟୀରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଡ୍ୟାନ୍ସ ପାର୍ଟି କରୁଥିଲେ। ସେମାନଙ୍କ ବେକରେ ବିରଳ ସାପ ଥିବା ପାର୍ଟି ସମୟରେ ରେକର୍ଡ ହୋଇଥିବା ଭିଡିଓରେ ଦେଖାଯାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଏଲଭିସ୍ ପୁଲିସ ରାଡାରକୁ ଆସିଥିଲେ। ଏବେ ତାଙ୍କୁ ଗିରଫ କରାଯାଇଥିବା ବେ‌ଳେ ତାଙ୍କ ବିରୋଧ‌ରେ ଏନଡିପିଏସ ଆକ୍ଟର ଧାରା ୨୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଏଲଭିଶ ଯାଦବଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି।

ଗତବର୍ଷ ନଭେମ୍ବରରେ ନୋଏଡାରେ ଚାଲିଥିବା ଏକ ‘ରେଭ୍‌ ପାର୍ଟି’ରେ ଚଢ଼ଉ କରି ପୁଲିସ ଏଲ୍‌ଭିସ୍‌ ଯାଦବଙ୍କର ୫ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ସାଂସଦ ମାନେକା ଗାନ୍ଧୀଙ୍କ ‘ପିପୁଲ୍‌ ଫର୍‌ ଆନିମଲ୍‌’ ‘ଏନ୍‌ଜିଓ’ର ପ୍ରାଣୀ ମଙ୍ଗଳ ଅଧିକାରୀ ଗୌରବ ଗୁପ୍ତା ଏହି ‘ରେଭ୍‌ ପାର୍ଟି’ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଏଲଭିସ୍ ନିଜ ସହଯୋଗୀଙ୍କ ସହ ବଡ଼ ବଡ଼ ପାର୍ଟୀକୁ ସାପ ବିଷ ଯୋଗାଉଥିବାର ଅଭିଯୋଗ କରିଥିଲେ ଗୌରବ।