ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା। ଜୈବିକ ସାର ଓ ପନିପରିବା ଚାଷ କରି ଭଲ ରୋଜଗାର କରୁଛନ୍ତି ଉଦ୍ୟମୀ ଚାଷୀ ସୁମନ। 

144

କନକ ବ୍ୟୁରୋ: ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ଚାକିରି ଛାଡ଼ି ଜୈବିକ ପଦ୍ଧତିରେ ଚାଷ କରି ସଫଳତା ପାଇଛନ୍ତି ଗଂଜାମ ବେଗୁନିଆପଡ଼ା ଅଂଚଳର ଯୁବ ଚାଷୀ ସୁମନ । ଏହା ସହିତ ସେ ଜିଆ ଖତ ବ୍ୟବସାୟ କରି ଭଲ ଦି ପଇସା ରୋଜଗାର କରୁଛନ୍ତି । ଦିନେ ଅହମଦାବାଦରେ ରହି ମାର୍ବଲ କମ୍ପାନୀରେ କାମ କରୁଥିଲେ କିନ୍ତୁ ଆଜି ସେ ଜଣେ ସଫଳ ଯୁବଚାଷୀ  । ଚାକିରି କରିବା ସମୟରେ ନିଜସ୍ୱ ଉଦ୍ୟମରେ କିଛି କରିବାର ଇଛା ରଖିଥିଲେ ସୁମନ । ୟୁଟ୍ୟୁବରୁ ଜିଆ ଖତ ବିଷୟରେ ଜାଣିବା ପରେ ସେ ରାଜସ୍ଥାନରେ ତାଲିମ ନେଇଥିଲେ । ଏହା ପରେ ନିଜ ଗାଁକୁ ଆସି କିଛି ଜମି ଲିଜ ନେଇ ଆରମ୍ଭ କରିଥିଲେ ଜୈବିକ ସାର ପ୍ରସ୍ତୁତି  । ଏବେ ସେହି ଜମିରେ ଜିଆ ଖତ ପ୍ରସ୍ତୁତ କରିବା ସହ ଜୈବିକ ପଦ୍ଧତିରେ କଲରା, ମୂଳା, ଲଙ୍କା, ଲାଉ, ବୋଇତି ଆଳୁ ଭେଣ୍ଡି ଚାଷ କରିଛନ୍ତି । ତେବେ ସୁମନ ପନିପରିବା ବିକ୍ରି କରିବା ସହ ଜିଆ ଓ ଜିଆ ଖତ ବିକ୍ରି କରି ଆତ୍ମନିର୍ଭର ହୋଇପାରିଛନ୍ତି ।

ଏହି ଜିଆ ଖତ ଗଞ୍ଜାମ ଜିଲ୍ଲା ସହ ମୟୁରଭଞ୍ଜ, ଭୁବନେଶ୍ୱର, ବୌଦ୍ଧ, ବଲାଙ୍ଗିର, ଗଜପତି, କେନ୍ଦ୍ରାପଡା, ବାଲେଶ୍ୱର, ଢେଙ୍କାନାଳ ଓ ଝାରସୁଗୁଡାକୁ ପଠାଇଥାନ୍ତି ସୁମନ । ଜିଆ କିଲୋ ପିଛା ୪୦୦ ଟଙ୍କା ହୋଇଥିବା ବେଳେ ଜିଆ ଖତ କିଲୋ ପିଛା ୧୦ ଟଙ୍କାରେ ବିକ୍ରି ହୋଇଥାଏ  । ଜିଆ ଖତ ପାଇଁ ଆବଶ୍ୟକ ହେଉଥିବା ଗୋବରକୁ ଗାଁ ଗହଳିରୁ ଆଣି ଏକାଠି କରିବାକୁ ପଡ଼ିଥାଏ । ଏହା ପରେ ବେଡ଼ ପ୍ରସ୍ତୁତ କରି ଗୋବରକୁ ସେଥିରେ ରଖି ଜିଆ ଛାଡ଼ିବାକୁ ପଡ଼ିଥାଏ । ଏହିସବୁ କାମରେ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କୁ ରୋଜଗାର ମିଳିପାରୁଛି । ଯାହାକୁ ନେଇ ସେମାନେ ଖୁସି ବ୍ୟକ୍ତ କରିଛନ୍ତି ।

ଦିନକୁ ଦିନ ଚାଷରୁ ମୁହଁ ଫେରାଉଛନ୍ତି ଯୁବପିଢ଼ି । ଏଭଳି ସ୍ଥିତିରେ ସୁମନଙ୍କ ଭଳି ଜଣେ ଯୁବକ  ଜୈବିକ ପଦ୍ଧତିରେ ଚାଷ କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।