ଅସହାୟ ବିଧବାଙ୍କ ପୁଅ ବୋଲି ଶବକୁ ମିଳିଲାନି ଚାରିକାନ୍ଧ । ଶେଷରେ ଟ୍ରଲିରେ ମଣାଣିକୁ ଗଲା ମୃତଦେହ

Advertisment
ଅସହାୟ ବିଧବାଙ୍କ ପୁଅ ବୋଲି ଶବକୁ ମିଳିଲାନି ଚାରିକାନ୍ଧ । ଶେଷରେ ଟ୍ରଲିରେ ମଣାଣିକୁ ଗଲା ମୃତଦେହ

କନକ ବ୍ୟୁରୋ: ଉପଯୁକ୍ତ ଚିକିତ୍ସା ଅଭାବରୁ ଜଣେ ଯୁବକଙ୍କ ମୃତ୍ୟୁ ହେଲା। ଆଉ ମୃତ୍ୟୁ ପରେ ଶବକୁ ଚାରିକାନ୍ଧ ବି ମିଳିଲାନି। ଶେଷରେ ଏକ ଟ୍ରଲିରେ ମଶାଣିକୁ ଗଲା ମୃତଦେହ। କେନ୍ଦୁଝର ସହରରେ ଗତକାଲି ଏଭଳି ଅଭାବନୀୟ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରାଯିବା ସତ୍ତ୍ୱେ ଶବକୁ ସମ୍ମାନ ନମିଳିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତ ଯୁବକ ହେଲେ ଜଣେ ଅସହାୟ ବିଧବାଙ୍କ ପୁଅ। ସେମାନେ ଜରି ଗୋଟାଇ ପରିବାର ଚଳାନ୍ତି।

ଖବର ଅନୁସାରେ, ପାଟଣା ଥାନା କେନ୍ଦେଇପଶି ଗ୍ରାମର ସ୍ୱର୍ଗତ ପ୍ରଫୁଲ୍ଲ କୁମାର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକ, ତାଙ୍କର ଦୁଇ ପୁଅ କାଳିଆ ନାଏକ (୨୨) ଓ ଲୁଲୁ (୨୧) କେନ୍ଦୁଝର ଧୋବାଡିହା ଛକରେ ଭଡ଼ା ଘରେ ରହୁଥିଲେ। ଦୁଇ ଭାଇ ସହରର ବିଭିନ୍ନ ସ୍ଥାନରୁ ଜରି ଗୋଟାଇ ଯାହା ରୋଜଗାର କରୁଥିଲେ ସେଥିରେ ଚଳୁଥିଲେ। ଗତ ଦୁଇମାସ ହେଲା ବଡ଼ପୁଅ କାଳିଆଙ୍କୁ ଜଣ୍ଡିସ ହୋଇଥିଲା। ଗତ ୩ ତାରିଖରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ଡାକ୍ତର କଟକ ନେବାକୁ ପରାମର୍ଶ ଦେଇଥିଲେ। ମାତ୍ର ଅର୍ଥାଭାବ ଓ ଅସହାୟତା ଭିତରେ କାଳିଆଙ୍କୁ ପରିବାର ଲୋକେ ଘରକୁ ନେଇଆସିଥିଲେ। ଘରେ ପଡ଼ିପଡ଼ି ଗତକାଲି  କାଳିଆଙ୍କର ମୃତ୍ୟୁ ହୋଇଯାଇଥିଲା। ସାନଭାଇ ଲୁଲୁ ଓ କାଳିଆଙ୍କ ଦୁଇ ସାଙ୍ଗ ଶବକୁ ଶ୍ମଶାନକୁ ନେବା ପାଇଁ କୋକେଇ ବାନ୍ଧିଥିଲେ। କିନ୍ତୁ ଶ୍ମଶାନ ପର୍ଯ୍ୟନ୍ତ ନେବା ପାଇଁ ୪ କାନ୍ଧ ମିଳିନଥିଲା। ସକାଳୁ ଦିନ ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କଲେ ମଧ୍ୟ ଆଉଜଣେ ଲୋକ ମିଳିନଥିଲେ। ଶେଷରେ ବାଧ୍ୟ ହୋଇ ଏକ ଟ୍ରଲିର ବ୍ୟବସ୍ଥା କରି ଶବକୁ ଲଦିଥିଲେ। ତିନିଜଣ ମିଶି ଠେଲିଠେଲି ସହର ଭିତରେ ମଶାଣିକୁ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe