କେହି ଶୁଣିଲେନି ଦୁଷ୍ମନ୍ତଙ୍କ ଦୁଃଖ ! ଏସ୍‌ସିବିରେ ଆଖିବୁଜିଲେ ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ନେଇ ଏସସିବି କର୍ତୃପକ୍ଷ ବିରୋଧରେ କରିଥିଲେ ଅଭିଯୋଗ

196

କନକ ବ୍ୟୁରୋ : କେହି ଶୁଣିଲେନି ଦୁଃଖ, ଶେଷରେ ଜୀବନ ହାରିଦେଲେ ଦୁଷ୍ମନ୍ତ । କଟକ ବଡ଼ ମେଡିକାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଆଣି ଦୁଷ୍ମନ୍ତ ବୁଧବାର ବିଧାନସଭା ଆଗରେ ହାତ କାଟିବା ସହ ବିଷ ପିଇଥିଲେ । ଘଟଣାସ୍ଥଳରୁ ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ପଠାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ ।

ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଦୁଷ୍ମନ୍ତ ଚାଲି ଚାଲି ବିଧାନସଭା ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିଥିଲେ । କେହି କିଛି ବୁଝିବା ପୂର୍ବରୁ ସେ ହଠାତ୍ ତାଙ୍କ ହାତ କାଟି ଦେଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଚିତ୍କାର କରିବାରୁ ଉପସ୍ଥିତ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ଘେରି ଯାଇଥିଲେ । ଘଟଣା ଦେଖି ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ । ଆମ୍ବୁଲାନ୍‌ସକୁ ଡକାଇବା ସହ ପୁଲିସ ତାଙ୍କର ପ୍ରାଥମିକ ଚିକିତ୍ସା‌ କରୁଥିବା ବେଳେ ସେ ବିଷ ପିଇ ଦେଇଥିବା କଥା କହିଥିଲେ । ହାତ କାଟିବା ଯୋଗୁଁ ପ୍ରବଳ ରକ୍ତସ୍ରାବ ହେବା ଓ ବିଷପାନ ଯୋଗୁଁ ସେ ଅତ୍ୟଧିକ ଗୁରୁତର ହୋଇପଡ଼ିଥିବାରୁ ମୃତ୍ୟୁ ଘଟିଛି ।

ଏଭଳି ଚରମ ପଦକ୍ଷେପ ନେବା କାରଣ ବାବଦରେ ସେ ଗଣମାଧ୍ୟମକୁ କହିଥିଲେ ଯେ ଗତବର୍ଷ ମାର୍ଚ୍ଚ ୨୨ରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ କ୍ଷତିଗ୍ରସ୍ତ ହୋଇଥିଲା । କଟକ ବଡ଼ ମେଡିକାଲରେ ସେ ଚିକିତ୍ସାଧୀନ ଥିବା ବେଳେ ଉପଯୁକ୍ତ ଚିକିତ୍ସା ପାଇନଥିଲେ। ଅସହ୍ୟ ଯନ୍ତ୍ରଣା ସତ୍ତ୍ବେ କଟକ ଡାକ୍ତରମା‌ନେ ତାଙ୍କୁ ଘରକୁ ପଳାଇବାକୁ ପରୋକ୍ଷରେ କହୁଥିଲେ । ଏମିତିକି ତାଙ୍କୁ ଜୋର୍‌ କରି ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯାଇଥିଲା । ପିଜି ଛାତ୍ରମାନେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। କରୋନା ଆଳରେ ଅପରେସନ୍ ନକରି କେବଳ ଔଷଧ ଦେଇ ବେଡ୍‌ରେ ପକାଇ ରଖିଥିଲେ। ପ୍ଲା‌ଷ୍ଟିକ୍‌ ସର୍ଜରିକୁ ଘୁଞ୍ଚାଇ ଦିଆଯାଇଥିଲା ।

ତେଣୁ ଗୋଡ଼ ହରାଇବା ନିଶ୍ଚିତ ହେବା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ମାନସିକବିକାରଗ୍ରସ୍ତ ସ୍ତ୍ରୀ ଓ ଗରିବ ବାପାମା’ଙ୍କୁ ନେଇ ବଞ୍ଚିବା କଷ୍ଟକର ହେବ ବୋଲି ଜାଣି ସେ ଇଛା ମୃତ୍ୟୁ ପାଇଁ ପ୍ରଶାସନକୁ ଚିଠି ଲେଖିଥିଲେ । ଜିଲ୍ଲାପାଳଙ୍କୁ ଚିଠି ଦେବା ପରେ ସ୍ବାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମଧ୍ୟ ଇଛା ମୃତ୍ୟୁ ପ୍ରସଙ୍ଗରେ ଚିଠି ଲେଖିଥିଲେ । ମାତ୍ର କୌଣସିଠାରୁ ତାଙ୍କୁ ସହଯୋଗ ମିଳିନଥିଲା । ତେଣୁ ଶେଷରେ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେଲେ ବୋଲି କହିଥିଲେ । ରାତି ସାଢ଼େ ୧୧ଟାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି ।