ରାଜଧାନୀର ଅନୁସୂଚିତ ଓ ଜନଜାତି ଛାତ୍ରୀ ନିବାସରେ ଗର୍ଭବତୀ ହେଲେ ନାବାଳିକା । ଅନୁସନ୍ଧାନ କରିବାକୁ ପହଂଚିଲା କନକ ନ୍ୟୁଜ୍ । ଦେଖିଲା, ହଷ୍ଟେଲକୁ ଅବାଧରେ ପ୍ରବେଶ କରୁଛନ୍ତି ବାହାର ଯୁବକ ।

607

କନକ ବ୍ୟୁରୋ : ଭୁବନେଶ୍ୱରର ଅନୁସୂଚିତ ଜାତି ଓ ଜନଜାତି ହଷ୍ଟେଲରେ ୪ ଜଣ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡିଛି । ଏଭଳି ଘଟଣା ବାରମ୍ବାର ଘଟୁଥିଲେ ବି ଏଥିରେ ଅଙ୍କୁଶ ଲଗାଯାଇପାରୁନାହିଁ । ତେବେ କାହିଁକି ଏହି ଘଟଣା ଘଟୁଛି, ହଷ୍ଟେଲ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କିପରି ରହିଛି, ଜାଣିବା ପାଇଁ ରାଜଧାନୀର ଏକ ହଷ୍ଟେଲରେ ପହଁଚିଥିଲା କନକ ନ୍ୟୁଜ ଟିମ୍ । ସେଠାରେ ଯେଉଁ ପରିବେଶ ଦେଖିଥିଲେ, ତାଜୁବ ହୋଇ ଯାଇଥିଲେ ଆମ ରିପୋର୍ଟର ।

ରାଜଧାନୀର ଦୁଇଟି ଛାତ୍ରୀ ନିବାସରେ ୪ ଜଣ ନାବାଳିକା ଗର୍ଭବତୀ ହେବା ଘଟଣା ପୁଣିଥରେ ଖବରର ଶିରୋନାମା ପାଲଟିଛି । ପୂର୍ବରୁ ଛାତ୍ରୀ ନିବାସରେ ଏଭଳି ଘଟଣା ବାରମ୍ବାର ଘଟିବାରୁ ଅନୁସଚିତ ଜାତି ଓ ଜନଜାତି ହଷ୍ଟେଲରେ ସିସିଟିଭି ଲଗାଇବାକୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାର କୌଣସି ସୁଫଳ ଦେଖିବାକୁ ମିଳିନାହିଁ । ପୁଣି ଥରେ ଆସିଛି ସେହି ଖବର । ଏହାର କାରଣ ଅନୁସନ୍ଧାନ ପାଇଁ ଆମେ ପହଁଚିଥିଲୁ କୁନ୍ତଳା କୁମାରୀ ସାବତ ଛାତ୍ରୀ ନିବାସରେ । ସେଠାରେ ଆମେ ଦେଖିଲୁ, ବେକରେ ଟାଟୁ କରିଥିବା ଜଣେ ୨୫ରୁ ୩୦ ବର୍ଷର ଜଣେ ଯୁବକ, ଛାତ୍ରୀ ନିବାସ ଭିତରକୁ ପଶିବା ପାଇଁ ଉଦ୍ୟମ କରୁଛନ୍ତି ।

ଏହି ଯୁବକ ଜଣକ ସିଧା ସଳଖ ଛାତ୍ରୀ ନିବାସ ଭିତରକୁ ପ୍ରବେଶ କରୁଥିଲେ । କିନ୍ତୁ ମିଡିଆ ଟିମକୁ ଦେଖି ଚିହିଁକି ଉଠିଥିଲେ । କାହିଁକି ସୁଟିଂ କରୁଛ କହି ଧମକାଇବାକୁ ବି ପଛାଇଲେ ନାହିଁ । ପ୍ରଶ୍ନ ଉଠୁଛି, ଏମାନେ ଅବାଧରେ କେମିତି ଛାତ୍ରୀ ନିବାସରେ ପ୍ରବେଶ କରୁଛନ୍ତି । ଛାତ୍ରୀ ନିବାସରେ କାମ କରୁଥିବା ଏହି ମହିଳା କ୍ୟାମେରା ଟିମକୁ ଦେଖି ହଷ୍ଟେଲର ଗେଟ୍ ଖୋଲିନଥିଲେ । କିନ୍ତୁ ସେହି ଯୁବକ ଜଣକ କିଏ, ତା’ର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନଥିଲେ । ତେବେ କେବଳ ଏହି ଯୁବକଙ୍କୁ ଇଂଗିତ କରିବା ଆମର ଉଦ୍ଦେଶ୍ୟ ନୁହେଁ, ତେବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଦୂରଦୁରାନ୍ତରୁ ଆସି ଅନୁସୂତିତ ଜାତି ଓ ଜନଜାତିର ଛାତ୍ରୀମାନେ ରହୁଥିବା ବେଳେ, ଏଠାକୁ କେମିତି ଅନାୟାସରେ ଯୁବକମାନେ ପ୍ରବେଶ କରି ପାରୁଛନ୍ତି ।